Headlines

ପୁଣି ଚର୍ଚ୍ଚାରେ ଉଦଳା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ: କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି


ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୮/୦୯/୨୬ (ସମୀକ୍ଷା ନ୍ୟୁଜ):

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡାନ୍ତର୍ଗତ ରାଢ଼ୋସ୍ଥିତ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ସରକାରୀ ଅନୁଦାନ ଓ କଲେଜ ପାଣ୍ଠିରୁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କଲେଜ କର୍ମଚାରୀମାନେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।


​ଅଭିଯୋଗ ଅନୁଯାୟୀ, ୨୦୨୧ ସେପ୍ଟେମ୍ବରରୁ ଦାୟିତ୍ୱ ନେବା ପରେ ଅଧ୍ୟକ୍ଷ କଲେଜର ବିଭିନ୍ନ ପାଣ୍ଠି, ନାମଲେଖା ଓ ପରୀକ୍ଷା ଫର୍ମ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟରୁ ବିନା ପ୍ରସ୍ତାବରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଥିବା ବୋଲି କୁହାଯାଇଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଠା ନିର୍ମାଣ ଓ PWD ଶୌଚାଳୟ ପାଇଁ ଆସିଥିବା ଅନୁଦାନକୁ ଜାଲ୍ ଚେକ୍ ଜରିଆରେ ବ୍ୟକ୍ତିଗତ ସ୍ୱାର୍ଥରେ ଲଗାଯାଇଥିବା ଅଭିଯୋଗ ହୋଇଛି।


​ଅଧ୍ୟକ୍ଷଙ୍କ ଦରମା କଟି ହାତକୁ ମାତ୍ର ₹୨୫,୦୦୦ ଆସୁଥିଲେ ହେଁ, ସେ ନିଜ ଗାଁରେ ₹୧.୫ କୋଟିର ଆଲିସାନ ଘର, ପୁଅର ଡାକ୍ତରୀ ପାଠପଢ଼ା ପାଇଁ ବାର୍ଷିକ ₹୨୩.୫ ଲକ୍ଷ, ଦୁଇଟି ଦାମୀ ବାଇକ୍ ଏବଂ ₹୨୮ ଲକ୍ଷର ସ୍କର୍ପିଓ ଗାଡ଼ି (ନମ୍ବର- OD01BJ0888) କ୍ରୟ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି।
​ଆଜି ଏହି ଘଟଣାର ସୂଚନା ସଂଗ୍ରହ ଓ ତଦନ୍ତ ପାଇଁ ବାଲେଶ୍ଵରରୁ ଏକ ସ୍ୱତନ୍ତ୍ର ଟିମ୍ କଲେଜରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *