Headlines

ଭବାନୀପାଟଣା: ଶିଶୁ ସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ ଉପରେ କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୨୫/୦୮: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଭବାନୀପାଟଣା ଠାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।


କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଡିଏସପି, IUCAW ଶ୍ରୀ କୁଲ୍ଲୁ ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କର୍ମଶାଳାରେ ବାଲ୍ୟବିବାହ ନିରାକରଣ, ଶିଶୁ ଶ୍ରମିକ ପ୍ରଥା ନିବାରଣ, ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ଏବଂ ଶିଶୁ ଚାଲାଣ ରୋକିବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିଶୁ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଜିଲ୍ଲାରେ ଶିଶୁ ସମ୍ପର୍କିତ ସମସ୍ୟାଗୁଡ଼ିକୁ କିପରି ରୋକାଯାଇପାରିବ, ସରକାରୀ ବ୍ୟବସ୍ଥା, ପୋଲିସ ସେବା, ବିଭିନ୍ନ ସରକାରୀ ଯୋଜନା ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ କିପରି ସୁଦୃଢ଼ କରାଯିବ, ଏବଂ ଅଣସରକାରୀ ସଂସ୍ଥାଗୁଡ଼ିକର ସହଯୋଗ ଓ ସମନ୍ୱୟ ମାଧ୍ୟମରେ ଶିଶୁମାନଙ୍କ ଅଧିକାର କିପରି ସୁନିଶ୍ଚିତ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା।


ଏହି ଅବସରରେ UNICEF Odishaର ଶିଶୁ ସୁରକ୍ଷା ବିଶେଷଜ୍ଞ ଶ୍ରୀ ଘାସିରାମ ପଣ୍ଡା, ବଲାଙ୍ଗୀର ଜିଲ୍ଲାର ପୂର୍ବତନ DCPO ଶ୍ରୀମତୀ ଲକ୍ଷ୍ମୀ ସିଂହ ଏବଂ ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ CWC ଅଧ୍ୟକ୍ଷ ଡା. ଅଜୟ ମିଶ୍ର ରିସୋର୍ସ ପର୍ସନ ଭାବେ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ମତାମତ ପ୍ରଦାନ କରିବା ସହ ପ୍ରତିଭାଗୀମାନଙ୍କୁ ସଚେତନ କରାଇଥିଲେ।
କର୍ମଶାଳାରେ ପୋଲିସ ବିଭାଗର ଡିଏସପି, ଅତିରିକ୍ତ ଏସପି, ବିଭିନ୍ନ ଥାନାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ, ଶ୍ରମ ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ସମସ୍ତ ସିଡିପିଓ, ଏନଏସି ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, DPM-OLM, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମିଶନ ଶକ୍ତି ବିଭାଗର ପ୍ରତିନିଧି, ବିଭିନ୍ନ NGO କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପଲାଇନ, ଶିଶୁ ମଙ୍ଗଳ ସମିତି ଓ କିଶୋର ନ୍ୟାୟ ବୋର୍ଡର ସଦସ୍ୟ/ସଦସ୍ୟା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର ପରିଚାଳନା କରିଥିବା ବେଳେ ‘କର୍ତ୍ତବ୍ୟ’ ଅନୁଷ୍ଠାନର ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କର୍ମଶାଳା ମାଧ୍ୟମରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ସରକାରୀ ବିଭାଗ, ପୋଲିସ, ଅଣସରକାରୀ ସଂଗଠନ ଓ ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *