ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୭/୮: ସପ୍ତାହଟେ ନହେଉଣୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦୁଇଥର ରେଡ଼ ଆଲର୍ଟ ସତର୍କ । ୧୬ ତାରିଖ ପୂର୍ବ ସୂଚନା କ୍ରମେ ସୋମବାର ପୁଣିଥରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା । ପରିସ୍ଥିତି ସଜାଡ଼ିବାରେ ସଭିଙ୍କର ସବୁ ଶ୍ରମ ବୃଥା ହେବାରେ ଲାଗିଛି । ଘର, ଚାଷଜମି, ରାସ୍ତାଘାଟ ସବୁ ଉଜାଡ଼ିବାକୁ ପିଛା ଛାଡୁନାହିଁ ଏ ସପ୍ତାହ ଭିତରେ ଲାଗି ରହିଥିବା ଭୀଷଣ ବର୍ଷା । ଗତ ବୁଧବାର, ଗୁରୁବାର ପରେ ପୁଣି ଶନିବାର ସନ୍ଧ୍ୟାରୁ ଲାଗିରହିଛି ଏ ବର୍ଷା । ଜିଲ୍ଲା ମଧ୍ୟଦେଇ ବୋହିଯାଇଥିବା ବୁଢ଼ାବଳଙ୍ଗ ରୁ ଅନ୍ୟ ନଦୀ, ନାଳ ମାନଙ୍କରେ ଜଳସ୍ତର ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପୁଣି ୧୮ ତାରିଖ ଜିଲ୍ଲା ପ୍ରତି ରହିଥିବା ରେଡ଼ ଆଲର୍ଟ ସୂଚନା ଜିଲ୍ଲାବାସୀଙ୍କୁ ଆଶଙ୍କା ଓ ଆତଙ୍କିତ ଅବସ୍ଥାରେ ରଖିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଆଗୁଆ ସତର୍କତା ଭାବେ ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ବଡ଼ସାହି ବ୍ଲକ ସହ ଅନ୍ୟାନ୍ୟ ସ୍ଥାନରେ ମୁତୟନ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ନଦୀ ତଳଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ।

ଖବରକ୍ରମେ ଲଗାତାର ବର୍ଷା ଯୋଗୁଁ ବଳଭଦ୍ରପୁର ଗ୍ରାପ ରେ ୧୭, କୋଚିଳାଖୁଣ୍ଟା ରେ ୨୬, ଶିଆଳିଘାଟି ରେ ୭, ଛେଳିଆ-କ ରେ ୧୭ ଓ ଯୋଗୀନୂଆଗାଁ ରେ ୧୩ଟି ପାଖାପାଖି ମାଟିଘର କାନ୍ଥ ଭାଙ୍ଗିଥିବା ଜଣା ପଡ଼ିଛି । ସେହିଭଳି ଅଳ୍ପଦିନ ପୂର୍ବରୁ ଏମ ଡି ଆର ରୋଡ଼ ମାଣତ୍ରୀ ଲାଞ୍ଜି ଛକ ପୋଲ ଠାରୁ ବିତନୁ ପୋଲ କଡ଼ ଗାର୍ଡୱାଲ ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଜଣାପଡିଛି । ଅନ୍ୟ ଏକ ଘଟଣାକ୍ରମେ ଆଜି ସକାଳୁ ତୁଳସୀଚଉରା ନିକଟ ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି । ଫଳରେ ରେଳ ବିଭାଗ ପକ୍ଷରୁ ବାଙ୍ଗିରିପୋଷି-ରୁପସା ରୁଟ୍ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଆଲୋଚନାରୁ ଜଣାପଡେ ଯେ ବାରିପଦାରେ ଏମର୍ଜେନ୍ସି ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ନାହିଁ । ଫାଙ୍କାଫାଙ୍କା ରେ ରହିଛି ଏବଂ ଚାଲିଛି ମୟୂରଭଞ୍ଜ ରେଳ । ବାରିପଦାରେ ଗୋଟେ ଲୁପ୍ ଲାଇନ ପାଇଁ ଦୀର୍ଘଦିନର ଦାବି ପ୍ରତି କୌଣସି ସମାଧାନ ନାହିଁ । ଆଜି ବାରିପଦାରେ ଲୁପ୍ ଲାଇନ ଥିଲେ ମେମୁ ଟ୍ରେନ ଚାଲି ପରିଥାନ୍ତା ତଥା ଯାତ୍ରୀ ଏଭଳି ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତେ । ତେବେ ସମସ୍ତ ସମସ୍ୟାର ସମାଧାନ କେମିତି ଓ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।


Total Users : 3642