Headlines

ସମୀକ୍ଷାରେ ବ୍ରଏଲର କୁକୁଡ଼ା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨/୯/୨୦୨୬:ବହୁ ପୁରାତନ ନୁହେଁ ବରଂ ଏଇ ବିଂଶ ଶତାବ୍ଦୀରେ ପ୍ରାୟତଃ ବ୍ରଏଲର କୁକୁଡ଼ାର ସୃଷ୍ଟି ବା ଆବିଷ୍କାର ହୋଇଛି । କୁହାଯାଏ ଇଂଲଣ୍ଡର White Cornish ଓ ଆମେରିକାର White Plymouth Rock ହେଉଛି ବ୍ରଏଲରର ବାପାମା । ୧୯୨୩ ରେ ଏହା ଆମେରିକାରୁ ଆରମ୍ଭ ହୋଇଥିଲା, ହେଲେ ଭାରତକୁ ପ୍ରାୟ ୧୯୬୦-୭୦ ଦଶକରେ ଆସିଥିବା ଜଣାଯାଏ । ବିଭିନ୍ନ ପର୍ଯ୍ୟାୟ କ୍ରମେ ୧୯୫୨ରେ ଏହି ବ୍ରଏଲର କୁକୁଡ଼ା ଆମେରିକାରେ ମୁଖ୍ୟ ଚିକେନ୍ ବ୍ୟବସାୟ ହୋଇଥିଲା । ଏବେ ଆମେ ଖାଉଥିବା ଧଳାରଙ୍ଗ ବ୍ରଏଲର ମୁଖ୍ୟତଃ Cornish Cross ଜାତିର, ଯାହା ମାତ୍ର ୩୦ ରୁ ୪୦ ଦିନ ଭିତରେ ଦୁଇ କେଜି ବା ତଦୁର୍ଦ୍ଧ୍ଵ ଓଜନର ହୋଇଥାଏ । ତେବେ ୧୯୮୫ ରୁ ୨୦୦୫ ଭିତରେ ଏହି ବ୍ୟବସାୟ ପ୍ରାୟ ୧୫୮% ବୃଦ୍ଧି ହୋଇଥିବା ଜଣାଯାଏ । ଓଡିଶାରୁ ପ୍ରସ୍ତୁତ ବ୍ରଏଲର କୁକୁଡ଼ାର ୩୦ ରୁ ୪୦% ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ପ୍ରଭୃତି ରାଜ୍ୟକୁ ଯାଇଥାଏ । ସେହିଭଳି ଲେୟର କୁକୁଡ଼ା ଚାଷ ମଧ୍ୟ ବ୍ରଏଲର ପୂର୍ବରୁ ହୋଇଛି । ବ୍ରଏଲର କୁକୁଡ଼ାକୁ ମାଂସ ପାଇଁ ବ୍ୟବହାର କରାଯାଉଥିବା ସମୟରେ ଏହି ଲେୟର କୁକୁଡ଼ାକୁ ଅଣ୍ଡା ପାଇଁ ପାଳନ କରାଯାଏ ।

ଭାରତ ସରକାର ବ୍ରଏଲର କିମ୍ବା ଲେୟର ଫାର୍ମ କରିବାକୁ ବିଭିନ୍ନ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ବ୍ୟତୀତ ଚାଷୀଙ୍କୁ ଏଥିପାଇଁ ଋଣ ଯୋଗାଇ ଦେଇଥାନ୍ତି । ଏହି ଫାର୍ମ କରି କୁକୁଡ଼ା ଚାଷ କରିବାକୁ କେତେକ ନିୟମ ମଧ୍ୟ ପ୍ରଚଳିତ । ହେଲେ ଅଧିକ ମୁନାଫା ପାଇଁ ଓ ହାତଗୁଂଜା ଦେଇ ଏହି ବ୍ରଏଲରକୁ ବଢ଼ାଇବା ପ୍ରଣାଳୀରେ ନିୟମ ବହିର୍ଭୁତ ବା ଅସନ୍ତୁଳିତ ହରମୋନ ଓ ଅସାଧୁ ଉପାୟରେ ଉତ୍ପାଦନ ପାଇଁ ଏବେ ବ୍ରଏଲର ମାଂସର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ବହୁମତ ପ୍ରକାଶ ପାଉଛି । ନିୟମାନୁଯାୟୀ ଏଭଳି ଫାର୍ମ ଜନବସତି ନିକଟରୁ ୫ଶହ ମିଟର ଏବଂ ପାନୀୟଜଳ ନିକଟରୁ ମଧ୍ୟ ନିର୍ଦ୍ଦିଷ୍ଟ ଦୂରତ୍ୱ ବା ବ୍ୟବଧାନ ମଧ୍ୟରେ ରହିବା ଉଚିତ । ପୁଣି ଏହି ଫାର୍ମର ଦିଗ, ଲମ୍ବଉଚ୍ଚତା, ପାଚେରୀ ପାଇଁ ମଧ୍ୟ ଉଦ୍ଦିଷ୍ଟ ନିୟମ ରହିଛି ।

ଦେଶୀକୁକୁଡ଼ା ଅଣ୍ଡା ଉଷୁମାଇ ଯେମିତି ଚିଆଁ ବାହାର କରିଥାଏ ବ୍ରଏଲର କୁକୁଡ଼ା ଚିଆଁ ସେଭଳି ହୋଇନଥାଏ । ଏହି ବ୍ରଏଲର ଚିଆଁ ହ୍ୟାଚେରୀରୁ ଆସିଥାଏ । ପ୍ୟାରେଣ୍ଟ ଫାର୍ମରୁ ଅଣ୍ଡା ସଂଗ୍ରହ ହୋଇ ହ୍ୟାଚେରୀକୁ ଅଣାଯାଇଥାଏ । ଏହି ଅଣ୍ଡାକୁ ଇନକ୍ୟୁବେଟର ମେସିନ ସାହାଯ୍ୟରେ ୧୮ଦିନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବୁଲାଇବାକୁ ପଡେ । ପୁଣି ହାଚର ମେସିନକୁ ଆଣି ସମୁଦାୟ ୧୯ ରୁ ୨୦ ଦିନ ପର୍ଯ୍ୟନ୍ତ ରଖିବା ପରେ ଅଣ୍ଡାରୁ ଚିଆଁ ବାହାରିଥାଏ । ଜନ୍ମ ହେବାର ୨ ରୁ ୪ ଘଣ୍ଟା ଭିତରେ ବା ସେହିଦିନ ଚିଆଁକୁ Marek’s ଓ ND ଟୀକା ଦିଆଯାଏ ଏବଂ କାର୍ଟୁନରେ ଭର୍ତ୍ତିକରି ଫାର୍ମଗୁଡିକୁ ପଠାଯାଏ । ସେଠାରେ ୩୫ ରୁ ୪୦ ଦିନ ପାଳନ ହେବା ପରେ ତାହା ଖାଇବା ଯୋଗ୍ୟ ବ୍ରଏଲର ହୋଇଥାଏ ।

ତେବେ ଚିଆଁ ଫାର୍ମରେ ପହଁଚିବା ପରେ ପଶୁ ଓ ପ୍ରାଣୀ ଚିକିତ୍ସା ବା ତାଙ୍କ ଦ୍ୱାରା ଅନୁମିତ ଅଧିକୃତ ସଂସ୍ଥା ଏହି ଚିଆଁର ପରବର୍ତ୍ତୀ ଟୀକାକରଣ ଓ ଅନ୍ୟାନ୍ୟ ଔଷଧ, ଖାଦ୍ୟ ଆଦିକୁ ଧ୍ୟାନ ଦେଇଥାନ୍ତି । ଚିଆଁ ଜନ୍ମ ହେବାର ୭ଦିନରେ ଏବଂ ୧୪ ବା ୨୮ ଦିନରେ Ranikhet ରୋଗ ପାଇଁ ଚିଆଁ ଆଖିରେ ଡ୍ରପ ପକାଯାଇଥାଏ । ସେହିଭଳି ନିର୍ଦ୍ଦିଷ୍ଟ ଦିନର ବ୍ୟବଧାନରେ ସେଇ Ranikhet ରୋଗ ପାଇଁ ଓ Fowl pox ରୋଗ ପାଇଁ ମାଂସ ପେଶୀରେ ଇଞ୍ଜେକ୍ସନ ଦିଆଯିବା ନିୟମ ରହିଛି । ମାତ୍ର ଏହା ସ୍ଥଳ ବିଶେଷରେ ଭିନ୍ନ ହୋଇଥାଏ । କିନ୍ତୁ ବ୍ୟବସାୟିକ ଫାଇଦା ବା କୁକୁଡ଼ାକୁ ଶୀଘ୍ର ବଢ଼ାଇବା ପାଇଁ ଚାଷୀ ଏଥିରେ ବିନା ଡାକ୍ତର ପରାମର୍ଶରେ ବ୍ୟତିକ୍ରମ କରି ପାଳନ କରୁଥିବା ଆଲୋଚନା ହୁଏ । ମାତ୍ରାଠାରୁ ଅଧିକ ବ୍ୟବହାର ଯୋଗୁଁ ଏହାର ମାଂସ ମଣିଷ ସ୍ୱାସ୍ଥ୍ୟରେ କ୍ଷତି କରି ଜୀବନ ପ୍ରତି ବିପଦ ବଢ଼ାଉଥିବା ନେଇ ବିଭିନ୍ନ ମତ ପ୍ରକାଶ ପାଏ । ବ୍ରଏଲର କୁକୁଡ଼ା ରୋଗରେ ନପଡିବାକୁ ଆଣ୍ଟିବାୟୋଟିକ ବ୍ୟବହାର କରିବା ନିୟମ ପରେ କୁକୁଡ଼ାକୁ Oxytetracycline, Enrofloxacin, Colistin, Tylosin ଭଳି ଆଣ୍ଟିବାୟୋଟିକ ତାଙ୍କ ଖାଉଥିବା ଦାନାରେ ଅଧିକ ମାତ୍ରାରେ ମିଶାଯାଇଥାଏ । ହେପାଟୋ କେୟାର, ଏନଗ୍ରୋ ଭଳି ଅନ୍ୟାନ୍ୟ କେତେକ ଭିଟାମିନ ଇତ୍ୟାଦି ପ୍ରୟୋଗ କରୁଥିବା ନେଇ ମଧ୍ୟ କୁହାଯାଏ । ଏତଦବ୍ୟତୀତ ଆଲୋଚନାରୁ ଜଣାପଡେ ଯେ, ଗ୍ରୋଥ ପ୍ରମୋଟର ବା ଷ୍ଟେରଏଡ଼ ଭଳି ଇଞ୍ଜେକ୍ସନର ଅସାଧୁ ବ୍ୟବହାର କରି ମଧ୍ୟ ବ୍ୟବସାୟୀ କୁକୁଡ଼ାକୁ ଖୁବଶୀଘ୍ର ବଢ଼େଇ ଦିଅନ୍ତି, ଯାହା ନିୟମ ଅନୁସାରେ ବ୍ୟାନ ଅଟେ । ଭିଟାମିନ ବା ଆର୍ସେନିକ ଯୁକ୍ତ ଔଷଧର ବ୍ୟବହାରରୁ ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ କୁକୁଡ଼ାର କିଡନୀ ଓ ଲିଭର୍ ଉପରେ କୁପ୍ରଭାବ ପଡିଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି ଏବଂ ଏହାଦ୍ବାରା ଓଜନ ବୃଦ୍ଧି ସହ ହାଡ଼ ଦୁର୍ବଳ ଜନିତ କୁକୁଡାଟି ଚାଲିବାକୁ ସକ୍ଷମ ହୋଇନଥାଏ । କୁକୁଡ଼ାର ରୋଗ ପ୍ରତିରୋଧ ଶକ୍ତି କମିଯାଏ ଓ ସେହି କୁକୁଡ଼ା ମାଂସକୁ ମଣିଷ ବ୍ୟବହାର କଲେ ମଣିଷ ଶରୀରରେ ଆଣ୍ଟିବାୟୋଟିକ କାମ କରିନଥାଏ, ହରମୋନ ଜନିତ ସମସ୍ୟା। ଉପୁଜିଥାଏ । ମଣିଷର କିଡନୀ ଓ ଲିଭର୍ ଉପରେ ଚାପ ପଡିଥାଏ ତଥା କର୍କଟ ରୋଗର ଆଶଙ୍କା ନେଇ ବିଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁଣି ଏହିଭଳି ବ୍ରଏଲର ମାଂସର ନିୟମିତ ବା ଲଗାତାର ବ୍ୟବହାର ଫଳରେ ମନୁଷ୍ୟର ଓଜନ ବୃଦ୍ଧି, କୋଲେଷ୍ଟ୍ରଲ ଏବଂ ହୃଦରୋଗ ଭଳି ଜଟିଳରୋଗର ଭୟ ରହିଥାଏ । ଷ୍ଟେରଏଡ଼ ରହିଥିବା ମାଂସ ଖାଇଲେ ପିଲାମାନଙ୍କର ଶୀଘ୍ର ଯୌବନ ଆରମ୍ଭ ଓ ଝିଅପିଲାଙ୍କ ମାସିକ ଧର୍ମରେ ଗଡବଡ଼ ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ହେଉଥିବା ଜଣାଯାଏ । ଏହାର ମାଂସ ଅଧିକ ଚର୍ବିଯୁକ୍ତ ଯୋଗୁଁ ବ୍ଲଡ଼ପ୍ରେସର, ଓଜନ ବୃଦ୍ଧି ଛଡା ଏହି କେମିକାଲ ମିଶ୍ରିତ ମାଂସ ଗ୍ୟାସ, ଅଜୀର୍ଣ୍ଣଝାଡା, ଆଲର୍ଜି ଭଳି ରୋଗ ମଧ୍ୟ ସୃଷ୍ଟି କରେ । ମାତ୍ର ଏହି ମାଂସ ସହଜ ଓ ଶସ୍ତାରେ ମିଳୁଥିବା ସହ ମାଂସ ପ୍ରସ୍ତୁତ କରି ଖାଇବାକୁ ବିଳମ୍ବ ହେଉ ନଥିବାରୁ ଏବଂ ବିଶେଷ କରି ଗରିବ ଲୋକଙ୍କ ଶୁଭ କାର୍ଯ୍ୟରେ କମ ଖର୍ଚ୍ଚ ଯୋଗୁଁ ପ୍ରାୟତଃ ବହୁଳ ବିକ୍ରି ଓ ବ୍ୟବହାର ହୋଇଥାଏ । ପୂର୍ବ ଭଳି ସୁଆଦ ତ ଏବେ ଦେଶୀ କୁକୁଡ଼ା ମାଂସରୁ ବି ମିଳୁନି, ବଜାରରେ ଖୁବ କମ ପ୍ରକୃତ ବା ଅରିଜିନାଲ ଦେଶୀ ଛାଡିଦେଲେ ସବୁ ଦାନା ଖିଆ ରଙ୍ଗୀନ କୁକୁଡ଼ା ଦେଶୀ ଭଳିଆ ବିକ୍ରି ହେଉଛି ।

ତୁଳନାତ୍ମକ ଭାବେ ଦେଶୀ କୁକୁଡ଼ା ସହ ବ୍ରଏଲର କିମ୍ବା ଲେୟର ଦେଶୀ କୁକୁଡ଼ା ମାଂସଠୁ କ୍ଷତିକାରକ । ତେବେ ଲେୟର କୁକୁଡ଼ା ବା ଅଣ୍ଡାଦିଆ କୁକୁଡ଼ା ବ୍ରଏଲର ଭଳି କ୍ଷତି କରିନଥାଏ । ଏହା ସାଧାରଣତଃ ଦେଢ଼ ରୁ ଦୁଇବର୍ଷର ହୋଇଥାଏ ଏବଂ ମାଂସ ବିକ୍ରି ହେଲା ବେଳକୁ ତାକୁ ଦିଆଯାଉଥିବା ଔଷଧର କୁପ୍ରଭାବ କମିଯାଇଥାଏ । ଏହାର ମାଂସ ବହୁତ ଟାଣ ଓ ଶିଝିବାକୁ ବହୁତ ସମୟ ନିଏ, ମାତ୍ର ମାଂସ କମ ଚର୍ବି ଯୁକ୍ତ । ଅଣ୍ଡା ପାଇଁ ଲେୟରକୁ ମଧ୍ୟ ଆଣ୍ଟିବାୟୋଟିକ, ଭିଟାମିନ ଓ କାଲସିଅମ ଇତ୍ୟାଦି ଦିଆଯାଏ । ବ୍ରଏଲର ତୁଳନାରେ ଲେୟରରେ ଅଧିକ ପ୍ରୋଟିନ ମିଳେ ବୋଲି ଆଲୋଚନାରୁ ଜଣାପଡେ । ତେବେ କେବଳ ବିଶ୍ୱସ୍ତ ମାଂସ ବିକାଳୀ ଏସବୁ ମାଂସର ସଠିକ ସୂଚନା ଦେଇପାରିବେ । ବଜାରରେ ମିଳୁଥିବା ଫାଷ୍ଟଫୁଡ଼ ଦୋକାନରେ ଓ କେତେକ ବ୍ୟବସାୟୀ ଏହାର ମାଂସ ଫ୍ରିଜରେ ରଖି ବାସୀମାଂସ ବିକନ୍ତି, ଯାହାକୁ ଖାଇବା ଦ୍ୱାରା ଶରୀର ଖରାପ ହେବା ସୁନିଶ୍ଚିତ । ଏଣୁ ବ୍ରଏଲର ବା ଲେୟର ମାଂସ ଆଣିବା ସମୟରେ କେତେକ ସାବଧାନତା ଅବଲମ୍ବନୀୟ ବା ଏସବୁକୁ ମାନି ତା ମାଂସ ଖାଇଲେ ସ୍ୱାସ୍ଥ୍ୟ କ୍ଷତି ଆଶଙ୍କାକୁ ଏଡେଇ ହେବ । ବିକ୍ରି ପୂର୍ବରୁ ବ୍ରଏଲରକୁ ଦିଆଯାଉଥିବା ଔଷଧ ବା ଇଞ୍ଜେକ୍ସନର ଅନ୍ତତଃ ସପ୍ତାହେ ପରେ ତଥା କୁପ୍ରଭାବ କମ ହେବାକୁ ତାର ମାଂସ ଆଣି ଭଲଭାବରେ ଧୋଇ, ଫୁଟାଇ ଖାଇଲେ ଏହା କମ କ୍ଷତିକାରକ ବୋଲି ବିଶେଷଜ୍ଞ ମତ ଦେଇଥାନ୍ତି । ତେବେ ସ୍ୱାସ୍ଥ୍ୟ ସଚେତନ ଥିବା ଲୋକ ଏହାକୁ ଯଥେଷ୍ଟ କମ ବ୍ୟବହାର କରନ୍ତି ।

Leave a Reply

Your email address will not be published. Required fields are marked *