ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୮/୦୯/୨୬ (ସମୀକ୍ଷା ନ୍ୟୁଜ):
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡାନ୍ତର୍ଗତ ରାଢ଼ୋସ୍ଥିତ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ସରକାରୀ ଅନୁଦାନ ଓ କଲେଜ ପାଣ୍ଠିରୁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କଲେଜ କର୍ମଚାରୀମାନେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୨୧ ସେପ୍ଟେମ୍ବରରୁ ଦାୟିତ୍ୱ ନେବା ପରେ ଅଧ୍ୟକ୍ଷ କଲେଜର ବିଭିନ୍ନ ପାଣ୍ଠି, ନାମଲେଖା ଓ ପରୀକ୍ଷା ଫର୍ମ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟରୁ ବିନା ପ୍ରସ୍ତାବରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଥିବା ବୋଲି କୁହାଯାଇଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଠା ନିର୍ମାଣ ଓ PWD ଶୌଚାଳୟ ପାଇଁ ଆସିଥିବା ଅନୁଦାନକୁ ଜାଲ୍ ଚେକ୍ ଜରିଆରେ ବ୍ୟକ୍ତିଗତ ସ୍ୱାର୍ଥରେ ଲଗାଯାଇଥିବା ଅଭିଯୋଗ ହୋଇଛି।

ଅଧ୍ୟକ୍ଷଙ୍କ ଦରମା କଟି ହାତକୁ ମାତ୍ର ₹୨୫,୦୦୦ ଆସୁଥିଲେ ହେଁ, ସେ ନିଜ ଗାଁରେ ₹୧.୫ କୋଟିର ଆଲିସାନ ଘର, ପୁଅର ଡାକ୍ତରୀ ପାଠପଢ଼ା ପାଇଁ ବାର୍ଷିକ ₹୨୩.୫ ଲକ୍ଷ, ଦୁଇଟି ଦାମୀ ବାଇକ୍ ଏବଂ ₹୨୮ ଲକ୍ଷର ସ୍କର୍ପିଓ ଗାଡ଼ି (ନମ୍ବର- OD01BJ0888) କ୍ରୟ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି।
ଆଜି ଏହି ଘଟଣାର ସୂଚନା ସଂଗ୍ରହ ଓ ତଦନ୍ତ ପାଇଁ ବାଲେଶ୍ଵରରୁ ଏକ ସ୍ୱତନ୍ତ୍ର ଟିମ୍ କଲେଜରେ ପହଞ୍ଚି ତଦନ୍ତ ଜାରି ରଖିଛି।



Total Users : 6821