Headlines

ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା

ପୁଲକେଶ୍ୱର ମିଶ୍ର/ତାଳଚେର/ଅନୁଗୋଳ/ସମୀକ୍ଷା ନ୍ୟୁଜ୍: ତାଳଚେର ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ତଥା ମୁଖ୍ୟ ରାସ୍ତା ପବିତ୍ର ମୋହନ ମାର୍ଗରୁ ହାଣ୍ଡିଧୁଆଁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ସୀଧା ରାସ୍ତାରେ ଏବେ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ତାଳଚେର ମ୍ୟୁନିସିପାଲିଟି ଅଧୀନରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବାଇକ୍, କାର୍, ସାଇକେଲ୍ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତ କରିଥାନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ରାସ୍ତାରେ ଏକ ବଡ଼ ତଥା ପ୍ରାୟ ଦେଢ଼ରୁ ଦୁଇ ଫୁଟ ଗଭୀରତାର ଗୋଟିଏ ବିରାଟ ଗାଡ଼ (ଗଡ଼ା) ସୃଷ୍ଟି ହୋଇଛି।
​ବର୍ଷା ପାଣି ଜମି ରହିବା ହେତୁ ଗାଡ଼ଟିର ଗଭୀରତା ଜଣାପଡ଼ୁ ନାହିଁ। ଫଳରେ ଦିନବେଳା ଓ ବିଶେଷ କରି ରାତି ସମୟରେ ବାଇକ୍, ସାଇକେଲ୍ ଏବଂ ଚାରିଚକିଆ ଯାନଗୁଡ଼ିକ ପ୍ରାୟତଃ ଏହି ଗାଡ଼ରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଏକରୁ ଦେଢ଼ ମାସ ହେଲାଣି ଏହି ବିପଜ୍ଜନକ ପରିସ୍ଥିତି ଲାଗି ରହିଥିବା ବେଳେ ଅନେକ ଲୋକ ଗୁରୁତର ଆହାତ ହୋଇସାରିଛନ୍ତି।
​ଏହି ମୁଖ୍ୟ ରାସ୍ତା ଦେଇ ପ୍ରଶାସନର ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ଜନପ୍ରତିନିଧି ନିୟମିତ ଗସ୍ତ କରୁଥିଲେ ସୁଦ୍ଧା ସମସ୍ତଙ୍କ ଆଖି ସାମ୍ନାରେ ଥିବା ଏହି ମରଣଚାନ୍ଦ କାହାରି ଦୃଷ୍ଟିଗୋଚର ନହେବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପ୍ରଶାସନର ଏପରି ବେପରୁଆ ତାତି ଏବଂ ନିଷ୍କ୍ରିୟତା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
​ଆଉ କେତେ ଜୀବନ ଗଲେ କିମ୍ବା କେତେ ବଡ଼ ଦୁର୍ଘଟଣା ଘଟିଲେ ମ୍ୟୁନିସିପାଲିଟିର ନିଦ ଭାଙ୍ଗିବ? ତୁରନ୍ତ ଏହି ଗାଡ଼ଟିକୁ ମରାମତି କରି ଜନସାଧାରଣଙ୍କ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *