Headlines

ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୨୭/୦୬/୨୬


ରାତିର ଅନ୍ଧାରରେ ଅଗ୍ନିର କରାଳ ରୂପ ଦେଖିଲା ଉପାନ୍ତ ମାଲକାନଗିରି ଜିଲ୍ଲା। ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ପରିସରରେ ଥିବା ଶିଶୁ ଉଦ୍ୟାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ହୁତୁ ହୁତୁ ହୋଇ ଜଳୁଥିବା ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଦୀର୍ଘ ୩ ଘଣ୍ଟା କାଳ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।
​ଖବର ମୁତାବକ, ଉକ୍ତ ଶିଶୁ ଉଦ୍ୟାନ ମଧ୍ୟରେ କିଛି ପୁରୁଣା ଟାୟାର ରଖାଯାଇଥିଲା। ପ୍ରଥମେ ସେହି ଟାୟାରଗୁଡ଼ିକରେ ନିଆଁ ଲାଗିଥିଲା ଏବଂ ଦେଖୁଦେଖୁ ଏହା ଭୟଙ୍କର ରୂପ ଧାରଣ କରି ସମଗ୍ର ପରିସରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜିଲ୍ଲା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବୁଝାଇବାରେ ସଫଳ ହୋଇଥିଲେ। ତେବେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଏବଂ କେମିତି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।
​ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ବସଷ୍ଟାଣ୍ଡ ଅଞ୍ଚଳରେ ଏବେ ଚୋର, ଡକାୟତଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ଅନେକ ଅସାମାଜିକ ଓ ଖରାପ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ରାତି ସମୟରେ ଏହି ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବାରୁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।
​ସୁରକ୍ଷିତ ସ୍ଥାନରେ ଏଭଳି ବେପରୁଆ ଭାବେ ଟାୟାର କିଏ ଏବଂ କାହିଁକି ରଖିଥିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କୁ ଚିହ୍ନଟ କରି କଠୋରରୁ କଠୋର ଶାସ୍ତି ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ସହିତ ବସଷ୍ଟାଣ୍ଡ ଅଞ୍ଚଳରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣ ଜନତା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *