ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭।୮: ନେପାଳରେ ଉପୁଜିଥିବା ଅସ୍ଥିର ପରିସ୍ଥିତି ମଧ୍ୟରେ ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଖୋରଧା ର ଏକ ଦମ୍ପତି ନିଖୋଜ ଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି।

ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିର୍ଦ୍ଧାର୍ଥୀ ସାହୁ ନେପାଳ ଯାତ୍ରା ସମୟରୁ ପରିବାର ସହ ଯୋଗାଯୋଗରେ ନଥିବା ତାଙ୍କ ସାନଭାଇ ସ୍ୱରୂପ ମହାପାତ୍ର ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଦୀପ ଓ ସିର୍ଦ୍ଧାର୍ଥୀ ଦୀର୍ଘଦିନ ଧରି ଅଷ୍ଟ୍ରେଲିଆର ସିଡ୍ନୀ ସହରରେ ରହୁଛନ୍ତି। ୨୦୧୮ ମସିହାରୁ ସେମାନେ ସେଠାରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା କୁହାଯାଇଛି। ଧାର୍ମିକ ଯାତ୍ରାର ଅଂଶ ଭାବେ ଉଭୟ ଅଗଷ୍ଟ ୨୨ ତାରିଖରେ ନେପାଳରେ ପହଞ୍ଚି ପଶୁପତିନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ପରିବାର ସହ ମିଳିଥିବା ଶେଷ ଯୋଗାଯୋଗ ଅଗଷ୍ଟ ୨୫ ତାରିଖରେ ହୋଇଥିବା ଜଣାପଡ଼ିଛି।

ସେହିଦିନ ସନ୍ଦୀପ ତାଙ୍କ ସାନଭାଇ ସ୍ୱରୂପଙ୍କ ସହ କଥା ହୋଇଥିଲେ। ଏହାପରେ ନେପାଳରେ ଦେଖାଦେଇଥିବା ଅସ୍ଥିର ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇ ସ୍ୱରୂପ ଭାଇ ଓ ଭାଉଜଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିବା ସ୍ୱରୂପ କହିଛନ୍ତି। ନେପାଳରେ ଯୋଗାଯୋଗ ବ୍ୟବସ୍ଥା ଓ ସାଧାରଣ ପରିସ୍ଥିତିକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇବା ପରେ ପରିବାରର ଚିନ୍ତା ଆହୁରି ବଢ଼ିଛି। ଦମ୍ପତି କେଉଁଠାରେ ଅଛନ୍ତି, ସେମାନେ ସୁରକ୍ଷିତ କି ନାହିଁ ଏବଂ ବର୍ତ୍ତମାନ କେଉଁ ପରିସ୍ଥିତିରେ ଅଛନ୍ତି-ଏ ସମ୍ପର୍କରେ ପରିବାର ପାଖରେ ସ୍ପଷ୍ଟ ସୂଚନା ନଥିବାରୁ ପରିବାର ଭୟବିତ ଅବସ୍ଥାରେ ଅଛନ୍ତି। ସ୍ୱରୂପ ମହାପାତ୍ର କହିଛନ୍ତି ଯେ, ଗଣମାଧ୍ୟମରୁ ନେପାଳର ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ସେ ତୁରନ୍ତ ଭାଇଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ତେବେ ଫୋନ୍ରେ ସମ୍ପର୍କ ସ୍ଥାପନ ହୋଇନଥିଲା। ପରିବାର ପକ୍ଷରୁ ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ନେପାଳରେ ଥିବା ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଖୋରଧା ର ଏହି ଦମ୍ପତିଙ୍କ ନିଖୋଜ ଖବର ସାମ୍ନାକୁ ଆସିବା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ଦମ୍ପତିଙ୍କ ସୁରକ୍ଷା ନେଇ ତୁରନ୍ତ ସନ୍ଧାନ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଓଡ଼ିଶା ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି। ସନ୍ଦୀପ ଓ ସିର୍ଦ୍ଧାର୍ଥୀ ଶୀଘ୍ର ସୁରକ୍ଷିତ ଭାବେ ନିଜ ପରିବାର ନିକଟକୁ ଫେରିଆସନ୍ତୁ ବୋଲି ପରିବାର ଆଶା ପ୍ରକାଶ କରିଛି।
ଏହି ଘଟଣାରେ ନେପାଳରେ ଥିବା ଭାରତୀୟ ଦୂତାବାସ, ନେପାଳ କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଦମ୍ପତିଙ୍କ ସ୍ଥିତି ସମ୍ପର୍କରେ ଶୀଘ୍ର ନିଶ୍ଚିତ ସୂଚନା ମିଳିବ ବୋଲି ପରିବାର ଆଶା ରଖିଛନ୍ତି।



Total Users : 3733