Headlines

ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 29/8/2026:
ପଦ୍ମପୁର: ଆଜିର ବ୍ୟସ୍ତବହୁଳ ସମାଜରେ ଚିକିତ୍ସା ସେବା ଯେତେବେଳେ ଧୀରେ ଧୀରେ ବ୍ୟବସାୟିକ ରୂପ ନେଉଛି, ସେତେବେଳେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତା ଓ ସେବାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଶନିବାର ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡେନ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବତିପଥର ଓ ଅମ୍ଭରାଖୋଲ ଗ୍ରାମରେ ହଠାତ ପହଞ୍ଚିଥିଲେ ଡାକ୍ତର ରାମଚନ୍ଦାନି। ବଣପାହାଡ଼ ଘେରା ଏହି ଅଞ୍ଚଳରେ ଡାକ୍ତରଙ୍କୁ ଦେଖି ଗ୍ରାମବାସୀଙ୍କ ମୁହଁରେ ଖୁସିର ଝଲକ ଦେଖାଦେଇଥିଲା। ଗ୍ରାମରେ ପହଞ୍ଚିବା ପରେ ସେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ। ଗାଁରେ ବୁଲି ବୁଲି ପିଣ୍ଡାରେ ବସି ଲୋକଙ୍କ ରକ୍ତଚାପ ମାପିଥିଲେ। ଏଥିସହ ଅଙ୍ଗନୱାଡ଼ି କର୍ମୀ ଓ ଆଶା ଦିଦିମାନଙ୍କୁ ରକ୍ତଚାପ ମାପିବାର ପ୍ରଣାଳୀ ଶିଖାଇବା ସହ ମାଗଣାରେ ରକ୍ତଚାପ ମାପିବା ଯନ୍ତ୍ର ପ୍ରଦାନ କରିଥିଲେ। ଉଚ୍ଚ ରକ୍ତଚାପ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ନିୟମିତ ଭାବେ ରକ୍ତଚାପ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ମାଗଣାରେ ସ୍ପାଇରୋମେଟ୍ରି (Spirometry) ପରୀକ୍ଷା କରିଥିଲେ।

ଆବଶ୍ୟକତା ଅନୁଯାୟୀ ଔଷଧ ଓ ଚିକିତ୍ସା ସମ୍ପର୍କିତ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ଡାକ୍ତର ରାମଚନ୍ଦାନିଙ୍କୁ ପାହାଡ଼ ତଳେ ଘର କରି ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ସମ୍ମାନ ଦେଇ ସେ ପାହାଡ଼ ଚଢ଼ି ସେଠାକୁ ଯାଇଥିଲେ। ପାଣି ଭର୍ତ୍ତି ନାଳ ପାର ହେଉଥିବା ସମୟରେ ସେ ପଡ଼ିଯାଇଥିଲେ ମଧ୍ୟ ତାହାକୁ ଖାତିର ନକରି ଲୋକଙ୍କ ପାଖରେ ପହଞ୍ଚି ଚିକିତ୍ସା ସେବା ଜାରି ରଖିଥିଲେ। ଉଭୟ ଗ୍ରାମରେ ମିଶି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିବା ଜଣାପଡ଼ିଛି। ଚିକିତ୍ସା ସମୟରେ ତାଙ୍କର ସରଳତା, ଆନ୍ତରିକତା ଓ ସେବାଭାବ ଗ୍ରାମବାସୀଙ୍କ ହୃଦୟ ଜିଣି ନେଇଥିଲା। ମାତ୍ର ଏକ ଟଙ୍କାରେ ଚିକିତ୍ସା ସେବା ଯୋଗାଇ ଲକ୍ଷ ଲକ୍ଷ ରୋଗୀଙ୍କ ଆଶୀର୍ବାଦ ଲାଭ କରିଥିବା ଡାକ୍ତର ରାମଚନ୍ଦାନିଙ୍କ ଏହି ନିରବ ସେବା ତାଙ୍କୁ ଓଡ଼ିଶା ସମେତ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ତାଙ୍କ କାର୍ଯ୍ୟ ପ୍ରମାଣ କରୁଛି ଯେ, ଜଣେ ପ୍ରକୃତ ଡାକ୍ତରଙ୍କ ପାଇଁ ମାନବ ସେବା ହିଁ ସର୍ବୋଚ୍ଚ ଧର୍ମ। ନିଜ ଗାଁରେ ଡାକ୍ତର ରାମଚନ୍ଦାନିଙ୍କୁ ପାଇ ଗ୍ରାମବାସୀ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ସେମାନେ ଡାକ୍ତରଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘାୟୁ ଓ ସୁସ୍ୱାସ୍ଥ୍ୟ କାମନା କରିଥିଲେ। ବିଦାୟ ସମୟରେ ଡାକ୍ତର ରାମଚନ୍ଦାନି ପୁଣିଥରେ ଗ୍ରାମକୁ ଆସି ଲୋକଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମାଟି ଉପରେ ବସି, ଗାଁ ପିଣ୍ଡାରେ ରୋଗୀଙ୍କ ସେବା କରି ଡାକ୍ତର ରାମଚନ୍ଦାନି ଯେଉଁ ମାନବିକତାର ପରିଚୟ ଦେଇଛନ୍ତି, ତାହା ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା। ସେବାର କୌଣସି ସୀମା ନାହିଁ—ଇଚ୍ଛାଶକ୍ତି ଓ ମାନବିକତା ଥିଲେ ଯେକୌଣସି ସ୍ଥାନ ଚିକିତ୍ସାଳୟରେ ପରିଣତ ହୋଇପାରେ।

Leave a Reply

Your email address will not be published. Required fields are marked *