ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ସହିତ ପାରମ୍ପରିକ ବିହନ ଓ କୃଷି ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ଆଜି ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ପ୍ରକଳ୍ପ ଅଧୀନରେ ଦେବଦତ୍ତ କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ-ତଥା-ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ବରଗଡ଼ଙ୍କ ସହଯୋଗ ମିଳିଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ଏଡିପିସି ବିଜୟ କୁମାର ଧିର ଉପସ୍ଥିତ ଅତିଥି ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାଇକମାଳ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ନୁତନ ସୋରେନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟର ଗବେଷକ ଶୁଭ୍ରଜ୍ୟୋତି ସ୍ୱାଇଁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁଦେବ ପ୍ରଧାନ,ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଅତିଥିମାନେ ଭୁଲିଯାଇଥିବା ଖାଦ୍ୟ, ଅବହେଳିତ ଫସଲ ଓ ପାରମ୍ପରିକ ବିହନର ଗୁରୁତ୍ୱ ଉପରେ ନିଜର ମତାମତ ରଖିଥିଲେ। ବର୍ତ୍ତମାନ ସମୟରେ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା, ଜୈବ ବିବିଧତାର ସୁରକ୍ଷା ଏବଂ ସ୍ଥାୟୀ କୃଷି ପାଇଁ ଏହି ପାରମ୍ପରିକ ଫସଲ ଗୁଡ଼ିକର ପୁନରୁଦ୍ଧାର ଅତ୍ୟନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା/ବିତର୍କ, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। “ଆମ ଅଞ୍ଚଳରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ବର୍ତ୍ତମାନ ସମୟରେ ଏହାର ଗୁରୁତ୍ୱ” ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ, ଚିନ୍ତାଧାରା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପାରମ୍ପରିକ ବିହନ ପ୍ରଦର୍ଶନ କରାଯିବା ସହ ପାରମ୍ପରିକ ଚାଷ ପଦ୍ଧତି ସମ୍ପର୍କିତ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଶିକ୍ଷଣୀୟ ସାମଗ୍ରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ ଛାତ୍ରଛାତ୍ରୀଙ୍କୁ ଭୁଲିଯାଇଥିବା ଖାଦ୍ୟ, ଅବହେଳିତ ଫସଲ ଓ ପାରମ୍ପରିକ ବିହନ ସମ୍ପର୍କରେ ଅଧିକ ଜାଣିବା ସହ ଏହାର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପ୍ରେରଣା ଯୋଗାଇଥିଲା। ଶେଷରେ ସିଆରପି ଟଙ୍କଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।



Total Users : 3576