ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ/ ସମୀକ୍ଷା ନ୍ୟୁଜ/ମାଲକାନଗିରି: ଟେଣ୍ଡରରେ ଅତ୍ୟଧିକ କମ୍ ଦର ଦାଖଲକୁ ନେଇ ବାଲିମେଳା, କାଲିମେଳା ଓ ଏମ୍ଭି-୭୯ ଅଞ୍ଚଳର ଠିକାଦାରମାନେ ପୁଣି ଏକାଠି ହୋଇଛନ୍ତି। ବୁଧବାର ଏମ୍ଭି-୭୯ଠାରେ ଠିକାଦାରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଟେଣ୍ଡର ପ୍ରକ୍ରିୟା, ଦର ଓ ନିର୍ମାଣ କାମର ଗୁଣବତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା।
ଠିକାଦାରମାନଙ୍କ କହିବାନୁଯାୟୀ, ଅଧିକାଂଶ ଠିକାଦାର ବିଭାଗ ପକ୍ଷରୁ ଧାର୍ଯ୍ୟ ସିଡ୍ୟୁଲ୍ ଦର ଅନୁସାରେ ଟେଣ୍ଡର ଦାଖଲ କରୁଥିବାବେଳେ କେତେକ ଠିକାଦାର କାମ ପାଇବା ଆଶାରେ ଅତ୍ୟଧିକ କମ୍ ଦରରେ ଟେଣ୍ଡର ଦାଖଲ କରୁଛନ୍ତି। ଫଳରେ ଟେଣ୍ଡର ଦରକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା କୁହାଯାଇଛି।

ବୈଠକରେ ଅତ୍ୟଧିକ କମ୍ ଦରରେ କାମ ନେଲେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ କାମ କରିବାରେ ସମସ୍ୟା ଉପୁଜିପାରେ ବୋଲି ଠିକାଦାରମାନେ ମତ ରଖିଥିଲେ। ଏହାଦ୍ୱାରା କାମର ଗୁଣବତ୍ତା ପ୍ରଭାବିତ ହେବା ସହ ସମ୍ପୃକ୍ତ ଠିକାଦାର ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଲୋଚନା ହୋଇଥିଲା।
ଏହି ପରିପ୍ରେକ୍ଷୀରେ ସମସ୍ତ ଠିକାଦାର ସିଡ୍ୟୁଲ୍ ଦରକୁ ଆଧାର କରି ଟେଣ୍ଡର ଦାଖଲ କରିବା ସହ ଅତ୍ୟଧିକ କମ୍ ଦରରେ ଟେଣ୍ଡର ଦାଖଲ ନକରିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିସହ ଲେସ୍ ଦରରେ ଟେଣ୍ଡର ଦାଖଲ କରୁଥିବା ଠିକାଦାରଙ୍କୁ ଅନ୍ୟ ଠିକାଦାରମାନେ ସହଯୋଗ ନକରିବା ଏବଂ ସେମାନଙ୍କ ସହ କାମ ନକରିବା ନେଇ ମଧ୍ୟ କେତେକ ଠିକାଦାର ମତ ରଖିଥିବା ଜଣାପଡ଼ିଛି।

ତେବେ ଟେଣ୍ଡର ପ୍ରକ୍ରିୟା ସରକାରୀ ନିୟମ ଓ ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ହେଉଥିବାରୁ ଏହି ଘଟଣାରେ ସମ୍ପୃକ୍ତ ବିଭାଗର ଭୂମିକା ଉପରେ ମଧ୍ୟ ନଜର ରହିଛି। ଅତ୍ୟଧିକ କମ୍ ଦରରେ ଦାଖଲ ହୋଇଥିବା ଟେଣ୍ଡରକୁ ନେଇ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ଠିକାଦାରମାନଙ୍କ ଏହି ଏକତା କେଉଁ ରୂପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।



Total Users : 3576