ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର:
ସାହାରପଡା :୩/୯, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଇଷ୍ଟ ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟା ସମୟରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମହାନ୍ତ ଉକ୍ତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମାଛଗଡ଼ କ୍ଲଷ୍ଟରର ସିଆରସିସି ଅଚ୍ୟୁତାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡା ପ୍ରତି ଆଗ୍ରହୀ ହେବା ସହ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡାର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ।

ପରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନସ ରଞ୍ଜନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡା ଦକ୍ଷତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବାବେଳେ ଆଖପାଖ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ମଧ୍ୟ ସାମିଲ ହୋଇଥିଲେ। ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମାଛଗଡ଼ କ୍ରୀଡା ପଡ଼ିଆ ଦିନତମାମ କ୍ରୀଡାମୁଖର ହୋଇଉଠିଥିଲା। କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ସହନଶୀଳତା, ନେତୃତ୍ୱ ଓ ଭାତୃତ୍ୱଭାବ ଗଢ଼ିଉଠେ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।



Total Users : 3651