ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ଗାଇସିଲେଟ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଥାନାର ନୂତନ ଥାନାଧିକାରୀ (ଆଇଆଇସି) ଭାବେ ଶ୍ରୀଯୁକ୍ତ ସୁଶିଲ କୁମାର ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ନାୟକ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଥାନାରେ ପହଞ୍ଚିବା ପରେ ଶ୍ରୀ ନାୟକ ପ୍ରଥମେ ଥାନାର ଅଫିସ ଗୃହରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଈଶ୍ୱରଙ୍କ ଆଶୀର୍ବାଦ ଲୋଡ଼ିବା ପରେ ସେ ଗାଇସିଲେଟ ଥାନାର ଥାନାଧିକାରୀ ଭାବେ ଔପଚାରିକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଥାନାର କାର୍ଯ୍ୟପ୍ରଣାଳୀ, ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିସ୍ଥିତି ଓ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀଯୁକ୍ତ ନାୟକଙ୍କର ପୁଲିସ ବିଭାଗରେ ଦୀର୍ଘ ଅଭିଜ୍ଞତା ରହିଛି। ଗାଇସିଲେଟ ଥାନାରେ ଯୋଗଦାନ ପୂର୍ବରୁ ସେ ପ୍ରାୟ ୫ ବର୍ଷ ଧରି ପାଣିକୋଇଲି,ବଡ଼ଚଣା,ନେମାଳ, କାନପୁର, କଟକ ଗ୍ରାମାଞ୍ଚଳ,ବିଭିନ୍ନ ଥାନାରେ ଥାନାଧିକାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ବିଭିନ୍ନ ସ୍ଥାନରେ ଥାନାଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସହ ପୁଲିସର ସମନ୍ୱୟ କ୍ଷେତ୍ରରେ ସେ ଅଭିଜ୍ଞତା ହାସଲ କରିଛନ୍ତି। ଗାଇସିଲେଟ ଥାନା ଅଧୀନରେ ଏକ ବିସ୍ତୃତ ଅଞ୍ଚଳ ରହିଥିବାରୁ ଏଠାରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ନୂତନ ଥାନାଧିକାରୀଙ୍କ ସମ୍ମୁଖରେ ମଧ୍ୟ ଏହି ଦାୟିତ୍ୱ ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ତାଙ୍କ ଦୀର୍ଘ ଅଭିଜ୍ଞତା ଗାଇସିଲେଟ ଅଞ୍ଚଳରେ ପୁଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

ଦାୟିତ୍ୱ ଗ୍ରହଣ ପରେ ଥାନାଧିକାରୀ କହିଛନ୍ତି ଯେ, ଗାଇସିଲେଟ ଅଞ୍ଚଳରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରମୁଖ ଦାୟିତ୍ୱ ରହିବ। ଏଥିସହ ଅପରାଧ ନିୟନ୍ତ୍ରଣ, ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର, ନିଶା କାରବାର ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପକୁ ରୋକିବା ସହ ନାଗରିକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରିବା ଦିଗରେ ପୁଲିସ ପ୍ରଶାସନ କାର୍ଯ୍ୟ କରିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ପାରସ୍ପରିକ ସହଯୋଗ ରହିଲେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଅଧିକ ସହଜ ହୋଇପାରିବ। ତେଣୁ ସାଧାରଣ ଲୋକଙ୍କ ସହଯୋଗ ନେଇ ଗାଇସିଲେଟ ଥାନା ଅଧୀନରେ ଏକ ସୁସ୍ଥ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ଗଠନ ଦିଗରେ ପ୍ରୟାସ କରାଯିବ ବୋଲି ଶ୍ରୀ ନାୟକ ମତ ପ୍ରକାଶ କରିଛନ୍ତି।ନୂତନ ଥାନାଧିକାରୀଙ୍କ ଯୋଗଦାନ ପରେ ଗାଇସିଲେଟ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଆଶା ସୃଷ୍ଟି ହୋଇଛି। ତାଙ୍କ ଅଭିଜ୍ଞତା ଓ ଦକ୍ଷ ନେତୃତ୍ୱରେ ଗାଇସିଲେଟ ଥାନାର ପୁଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଜନସୁରକ୍ଷା କ୍ଷେତ୍ରରେ ନୂତନ ଦିଗ ଖୋଲିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।




Total Users : 6769