Headlines

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ/ଲଘୁ ଚଳଚ୍ଚିତ୍ର (short film) ‘ଅନୁଭବ’ ଏବେ ୟୁଟ୍ୟୁବ୍‌ରେ ଉପଲବ୍ଧ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର: ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ଜଗତରେ ଏକ ଉଲ୍ଲେଖନୀୟ ସୃଷ୍ଟି ହେଉଛି ‘ଅନୁଭବ’। ୧୮ ମିନିଟର ଏହି ଚଳଚ୍ଚିତ୍ରଟି ୨୦୨୪ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି।
ଜୀବନର ବିଭିନ୍ନ ଅନୁଭବ ଓ ସମ୍ବେଦନଶୀଳତାକୁ କେନ୍ଦ୍ର କରି ନିର୍ମିତ ଏହି ପାରିବାରିକ ଚଳଚ୍ଚିତ୍ରଟି ଏକ ମନଛୁଆଁ ପ୍ରୟାସ। ଜିନୁ ଜି ଡାନିଏଲ ଏବଂ ପିଙ୍କି ପ୍ରଧାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଅନୁଭବ’ର କାହାଣୀ ରଚନା କରିଛନ୍ତି ସ୍ୱର୍ଗତ ପବିତ୍ର କୁମାର ଗୌଡ଼। ଏହାର ଗୀତ ରଚନା କରିଛନ୍ତି ଶ୍ରୀ ଦେବଦାସ ଛୋଟରାୟ। ଏହି ଚଳଚ୍ଚିତ୍ରଟି ପ୍ରକାଶ ଫିଲ୍ମସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରଯୋଜନାରେ ନିର୍ମିତ।

ଚଳଚ୍ଚିତ୍ରଟିର ଡିଜିଟାଲ୍ ରିଲିଜ୍ ଅବସରରେ ଗତ ୧ ସେପ୍ଟେମ୍ବର ୨୦୨୬ରେ ଭୁବନେଶ୍ୱରସ୍ଥିତ ପୁଷ୍ପକ ହୋଟେଲରେ ଗଣମାଧ୍ୟମ ପ୍ରତିନିଧି ଏବଂ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ପ୍ରେସ୍ ମିଟ୍ ଏବଂ ଗଣମାଧ୍ୟମ ସହିତ ସ୍ୱତନ୍ତ୍ର ଆଲୋଚନାର ମଧ୍ୟ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ପ୍ରଯୋଜକ ଶଚୀକାନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଓ ଗଣମାଧ୍ୟମ ସମ୍ମିଳନୀକୁ ପରିଚାଳନା କରିଥିଲେ ଜଣାଶୁଣା ଉପସ୍ଥାପିକା ଆଦ୍ୟାଶ୍ରୀ ଦିବ୍ୟଦର୍ଶିନୀ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସମ୍ମାନ ପାଇବା ପରେ ‘ଅନୁଭବ’ ଏବେ ଡିଜିଟାଲ୍ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିଛି। ଦର୍ଶକମାନେ ବର୍ତ୍ତମାନ ଏହି ପୁରସ୍କାରପ୍ରାପ୍ତ ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ରକୁ ୟୁଟ୍ୟୁବ୍‌ରେ ଦେଖିପାରିବେ।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗୁଣାତ୍ମକ ଓ ଅର୍ଥପୂର୍ଣ୍ଣ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ନିର୍ମାଣ ଦିଗରେ ‘ଅନୁଭବ’ ଏକ ସୁନ୍ଦର ପଦକ୍ଷେପ ଭାବେ ଦର୍ଶକଙ୍କ ପ୍ରଶଂସା ଲାଭ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *