Headlines

ପିପିଲି: ସିଉଳା ଆରଆଇ,ଏଆରଆଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ

ପିପିଲି ତା୭।୯- ପିପିଲି ତହସିଲ ଅଧିନସ୍ଥ ସିଉଳା ଆରଆଇ କଲ୍ୟାଣୀ ଜେନା ଓ ଏଆରଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା ଜମି କିସମ ପରିବର୍ତନ କରିବା ପାଇଁ ଆଜି
୩୫ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଏହି ଦୁଇ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱର ଗିରଫ କରିଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ, ସିଉଳା ମୌଜାର ଜଣେ ଜମି ମାଲିକ ରଶ୍ମିରଂଜନ ପଣ୍ଡା ସରକାରଙ୍କ ନିୟମ ଅନୁଯାୟୀ କୃଷି ଜମିକୁ ଘରବାରି କିସମରେ ପରିବର୍ତନ କରିବା ପାଇଁ ଆବେଦନ କରିଥିଲେ । ଏହି କିସମ ପରିବର୍ତନ ପାଇଁ ଆରଆଇ ଶ୍ରୀମତୀ ଜେନା ଏବଂ ଏଆରଆଇ ଶ୍ରୀ ବେହେରା ଉଭୟ ୩୫ହଜାର ଟଙ୍କା ଲାଂଚ ଦାବି କରି ଆସୁଥିଲେ । ଜମିମାଲିକ ଅସହାୟତା ପ୍ରକାଶ କରିବା ସହ କିଛି କମ୍ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ।

କିନ୍ତୁ ୩୫ ହଜାର ଟଙ୍କା ନେବାକୁ ଜିଦ୍ ଧରିଥିଲେ । ଶ୍ରୀମତୀ ଜେନା ଏବଂ ଶ୍ରୀ ବେହେରାଙ୍କ ଦ୍ୱାରା ହଇରାଣ ହରକତ ହେବାରୁ ଆବେଦନ କାରି ଏ ସଂପର୍କରେ ଭିଜିଲାନ୍ସ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାକ୍ରମରେ ଆରଆଇ ଶ୍ରୀମତୀ ଜେନା, ଏବଂ ଏଆରଆଇ ଶ୍ରୀ ବେହେରା ଜମିମାଲିକଙ୍କ ଠାରୁ ନିଜ ଦାବୀ ମୁତାବକ ଟଙ୍କା ନେବାବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ଗିରଫ ହୋଇଥିଲେ । ସେମାନଙ୍କ ଠାରୁ ରାସାୟନିକ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଥିଲା । ଅଧିକାରୀ ଦ୍ୱୟଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ପୁରୀ ଜିଲ୍ଲା ଚାରିଛକ ନିକଟ ବ୍ରହ୍ମକୁଣ୍ଡି, ଚନ୍ଦନପୁର ନିକଟ ଅଚ୍ୟୁତପୁର, ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ସେମାନଙ୍କ ବାସଭବନ, ଭୁବନେଶ୍ୱରରେ ଥିବା ସେମାନଙ୍କ କାର୍ଯ୍ୟାଳୟ ଏବଂ ଘରଗୁଡ଼ିକରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୨୦/୨୦୨୬ ନଂ ରେ ୭ପି.ସି. (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *