ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଖଜୁରୀପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ଦିନ ସେବା, ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକ ଭାବନାର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଛି। ଦୁତୀମେଣ୍ଡି ଗ୍ରାମପଞ୍ଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ସନ୍ଧ୍ୟାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଦୁତୀମେଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଣ୍ଡାବାଡ଼ି ଗ୍ରାମଶ୍ରେଣୀ ପୀଠ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଇକୁମ୍ପା ଓ ଲମ୍ବାଗୁଡ଼୍ରି ଆଶ୍ରମ ପରିସରରେ ୭୬ଟି ବୃକ୍ଷଚାରା ରୋପଣ କରାଯାଇଥିଲା।

ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଢ଼ି ତୋଳିବାର ସଂକଳ୍ପ ନେଇ ଏହି ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଯୋଗଦେଇ ଚାରାରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗଛଟିଏ ଲଗାଇବା କେବଳ ପ୍ରକୃତିର ସେବା ନୁହେଁ, ଏହା ମାନବ ସମାଜ ଓ ଆଗାମୀ ପିଢ଼ିର କଲ୍ୟାଣ ପାଇଁ ଏକ ଦୃଢ଼ ପଦକ୍ଷେପ ବୋଲି ସେ କହିଥିଲେ। ଏଥିରେ ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ, ମଣ୍ଡଳ ସାଧାରଣ ସମ୍ପାଦକ ଦଶରଥ ସାହୁ, ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ ଓ ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କରଙ୍କ ସମେତ ବନ ବିଭାଗର ରେଞ୍ଜର ଆଶାଲତା ଦିଗାଲ, ବନପାଳ ପ୍ରତାପ ଯୁଣ୍ଡି, ବନରକ୍ଷୀ ସୁନୀତା କହଁର, ମୁବସରା ବେଗମ୍, ପାରାଗାର୍ଡ ପ୍ରଦୀପ ବେହେରା, ପୂର୍ଣ୍ଣ ସେଠୀ, ନନ୍ଦସୂତ ବେହେରା ଓ ଆଶ୍ୱିନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେହିପରି ସନ୍ଧ୍ୟାରେ ଖଜୁରୀପଡ଼ା ବ୍ଲକର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରାଯାଇଥିଲା। କନ୍ଧମାଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀ ମନ୍ଦିର ବାଲସକୁମ୍ପା, ଦ୍ୱାରପାଳ ମନ୍ଦିର ସୁଡ଼୍ରୁକୁମ୍ପା, ଜଗନ୍ନାଥ ମନ୍ଦିର ଦୁତୀପଡ଼ା, ବାବା ସୋମନାଥ ମନ୍ଦିର, ଦୁର୍ଗାଦେବୀ ମଣ୍ଡପ ଦୁତୀମେଣ୍ଡି, ଜଗନ୍ନାଥ ମନ୍ଦିର ଖଜୁରୀପଡ଼ା ଓ ଦଳପଡ଼ା ଆଦି ସ୍ଥାନରେ ସାମୂହିକ ଭାବେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଆଶୀର୍ବାଦର ଦୀପ ଜଳାଯାଇଥିଲା। ବିଭିନ୍ନ ସାମାଜିକ ସଂଗଠନ, ଯୁବ ମୋର୍ଚ୍ଚା ଓ ବିଜେପିର ବହୁ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଏଭଳି ଭାବେ ବୃକ୍ଷରୋପଣରେ ପରିବେଶ ସୁରକ୍ଷାର ବାର୍ତ୍ତା ଓ ଦୀପ ପ୍ରଜ୍ଜ୍ୱଳନରେ ଶୁଭକାମନାର ଆଲୋକ ବିଛୁରିତ ହୋଇ ଖଜୁରୀପଡ଼ା ଅଞ୍ଚଳରେ ଜନ୍ମଦିବସ ପାଳନକୁ ସ୍ମରଣୀୟ କରିଥିଲା।



Total Users : 6835