Headlines

ଫୁଲବାଣୀରେ ‘ସେବା ସଂକଳ୍ପ ପର୍ବ’ର ଶୁଭାରମ୍ଭଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ, ମାସବ୍ୟାପୀ ଚାଲିବ ୨୫ଟି ସେବାମୂଳକ କାର୍ଯ୍ୟକ୍ରମ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ:

କନ୍ଧମାଳ ଜିଲ୍ଲାରେ ଗୁରୁବାରଠାରୁ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଫୁଲବାଣୀସ୍ଥିତ ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ।

ଏଥିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ, ଫୁଲବାଣୀ ବିଡିଓ ସୌମ୍ୟରଞ୍ଜନ ପାତ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ରାମ ତାଣ୍ଡି, ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ମନ୍ଦିର ପରିସରରେ ବୃକ୍ଷଚାରା ରୋପଣ କରିଥିଲେ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ ପାଇଁ ଉତ୍ସାହିତ କରାଯାଇଛି।
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ‘ସ୍ୱପ୍ନର ଭାରତ’ ଶୀର୍ଷକରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ‘ନମୋ ସେବା ଗାଥା’ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିସହ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସମ୍ବର୍ଦ୍ଧନା, ଶିଶୁ-ମାତୃକଲ୍ୟାଣ ସମ୍ପର୍କିତ କାର୍ଯ୍ୟକ୍ରମ ଓ ପୁଷ୍ଟିକର ଖାଦ୍ୟ ବିତରଣ କରାଯିବ। ପ୍ରତ୍ୟେକ ବ୍ଲକରେ ‘ସରକାର ଆପଣଙ୍କ ଦୁଆରେ’ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ସହ ରକ୍ତଦାନ, ବୃକ୍ଷରୋପଣ, ସ୍ୱଚ୍ଛତା ଆଦି ୨୫ଟି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ସମସ୍ତ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ ହୋଇ ‘ସେବା ସଂକଳ୍ପ ଅଭିଯାନ-୨୦୨୬’କୁ ସଫଳ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *