Headlines

ଡିଜେ ନିଷେଧ, ତଥାପି ରାଜରାସ୍ତାରେ ଶବ୍ଦ ପ୍ରଦୂଷଣର ତାଣ୍ଡବ; ନିୟମ ଯାଞ୍ଚ ନେଇ ପ୍ରଶ୍ନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଗଣେଶ ପୂଜା ଚାଲିଥିବା ବେଳେ ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଭଳି ପ୍ରମୁଖ ପର୍ବ ଆସୁଛି। ପାର୍ବଣକୁ ନେଇ ରାଜଧାନୀରେ ଉତ୍ସାହ ଦେଖାଦେଇଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଡିଜେ ବ୍ୟବହାର ଉପରେ ନିଷେଧ ଜାରି କରାଯାଇଛି। ତେବେ ଡିଜେ ନିଷେଧ ସତ୍ତ୍ୱେ ଭସାଣି ଶୋଭାଯାତ୍ରା ସମୟରେ ରାଜରାସ୍ତାରେ ଉଚ୍ଚଶବ୍ଦ ଶୁଣିବାକୁ ମିଳୁଥିବା ଅଭିଯୋଗ ହେଉଛି। ଅନୁମତି ଦେବା ପରେ ଶବ୍ଦ ପ୍ରଦୂଷଣର ନିୟମିତ ଯାଞ୍ଚ ହେଉନଥିବାରୁ ଏହା ଉପରେ ପ୍ରଭାବଶାଳୀ ରୋକ୍‌ ଲାଗିପାରୁନଥିବା ପ୍ରଶ୍ନ ଉଠିଛି।

ପୂଜାପର୍ବାଣୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଭସାଣି ଶୋଭାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉଛି। କମିସନରେଟ୍‌ ପୁଲିସ ପକ୍ଷରୁ ଆବଶ୍ୟକ ଅନୁମତି ଦିଆଯାଉଥିବା ବେଳେ ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଅନୁଯାୟୀ, ପୂଜାପର୍ବାଣୀ ଓ ଶୋଭାଯାତ୍ରା ସମୟରେ ୬୫ ଡେସିବଲ୍‌ ପର୍ଯ୍ୟନ୍ତ ଶବ୍ଦ ତୀବ୍ରତାକୁ ଅନୁମତି ରହିଛି। ସେହିପରି ଜନବସତି ଅଞ୍ଚଳରେ ୫୫ ଡେସିବଲ୍‌, ବାଣିଜ୍ୟିକ ଅଞ୍ଚଳରେ ୬୫ ଡେସିବଲ୍‌ ଏବଂ ସ୍କୁଲ୍‌ ଓ ଡାକ୍ତରଖାନା ନିକଟରେ ୫୦ ଡେସିବଲ୍‌ ପର୍ଯ୍ୟନ୍ତ ଶବ୍ଦକୁ ଅନୁମତି ଦିଆଯାଇପାରିବ। ଚଳିତବର୍ଷ ରାଜଧାନୀର ୩୭୬ଟି ଗଣେଶ ପୂଜା କମିଟି ପକ୍ଷରୁ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନିମନ୍ତେ ଆବେଦନ କରାଯାଇଛି। ସେଥିମଧ୍ୟରୁ ୨୩୦ରୁ ଅଧିକ କମିଟି ଭସାଣି ଶୋଭାଯାତ୍ରା ପାଇଁ ମଧ୍ୟ ଅନୁମତି ମାଗିଛନ୍ତି। କମିସନରେଟ୍‌ ପୁଲିସ ପକ୍ଷରୁ ୧୬, ୧୮ ଓ ୨୦ ତାରିଖକୁ ଭସାଣି ଶୋଭାଯାତ୍ରା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା କମିଟିଗୁଡ଼ିକୁ ପୁଲିସ ପକ୍ଷରୁ ଅନୁମତି ଦିଆଯାଉଛି।

ତେବେ ମାତ୍ର ୬୫ ଡେସିବଲ୍‌ ଶବ୍ଦ ବ୍ୟବହାରକୁ ଅନୁମତି ଥିବା ସତ୍ତ୍ୱେ ଭସାଣି ଶୋଭାଯାତ୍ରାରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି। ଡିଜେ ବ୍ୟବହାର ଉପରେ ନିଷେଧ ଥିଲେ ମଧ୍ୟ ଅନେକ ସ୍ଥାନରେ ଭସାଣି ଶୋଭାଯାତ୍ରାରେ ଡିଜେ ବାଜୁଥିବା ଦେଖିବାକୁ ମିଳୁଛି। ଅତ୍ୟଧିକ ଶବ୍ଦ ଯୋଗୁଁ ସାଧାରଣ ଲୋକେ ପ୍ରଭାବିତ ହେଉଥିବା ବେଳେ ଏହି କାରଣରୁ ପୂର୍ବରୁ ଜୀବନହାନି ଘଟିଥିବାର ନଜିର ମଧ୍ୟ ରହିଛି। କାଗଜପତ୍ରରେ ଡିଜେ ନିଷେଧ ଥିବା ବେଳେ ମାଟିରେ ଚିତ୍ର ଭିନ୍ନ ଥିବା ଅଭିଯୋଗ ହେଉଛି। ଗତକାଲି ବାଲିପାଟଣା ଥାନା ଅଧୀନ ବାରହଳ ନିକଟରେ ଡିଜେ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଅଭିଯୋଗ ପରେ ପୁଲିସ ଦୁଇଟି ଡିଜେ ଗାଡ଼ି ଜବତ କରିଥିବା ଜଣାପଡ଼ିଛି। ଡିଜେ ଉପରେ ନିଷେଧ ଲାଗିଥିବା ପରେ ମଧ୍ୟ ଭସାଣି ସମୟରେ ଶବ୍ଦ ପ୍ରଦୂଷଣ ଉପରେ କେତେଦୂର ନିୟନ୍ତ୍ରଣ ଆସିପାରିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। କେବଳ ଡିଜେ ବନ୍ଦ କରିଦେଲେ ହିଁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସମ୍ଭବ କି, ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି।

କାରଣ ଭସାଣି ଶୋଭାଯାତ୍ରାରେ କେବଳ ଡିଜେ ନୁହେଁ, ଅନ୍ୟାନ୍ୟ ଉଚ୍ଚଶବ୍ଦ ଉତ୍ସ ମଧ୍ୟ ବ୍ୟବହାର ହେଉଛି। ଜନଗହଳିପୂର୍ଣ୍ଣ ରାସ୍ତାରେ ଶୋଭାଯାତ୍ରା ଯୋଗୁଁ ଯାତାୟାତ ପ୍ରଭାବିତ ହେଉଥିବା ସହ ମଦ୍ୟପାନ କରି ନାଚଗୀତ, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ଏବଂ କେତେକ ଯୁବକଙ୍କ ଅସତ୍‌ ଆଚରଣ ଯୋଗୁଁ ଗଣ୍ଡଗୋଳ ଭଳି ଘଟଣା ମଧ୍ୟ ଘଟୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଭସାଣି ଓ ପୂଜା କାର୍ଯ୍ୟକ୍ରମ ପାଇଁ କମିସନରେଟ୍‌ ପୁଲିସ ଅନୁମତି ପ୍ରଦାନ କରୁଥିବା ବେଳେ ଶବ୍ଦର ତୀବ୍ରତା ଯାଞ୍ଚ ଓ ନିୟନ୍ତ୍ରଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକା ରହିଛି। ନିୟମ ଅନୁଯାୟୀ, ସ୍ଥାନୀୟ ପୁଲିସର ସହଯୋଗରେ ଶବ୍ଦର ତୀବ୍ରତା ମାପିବା ପାଇଁ ବ୍ୟବସ୍ଥା ରହିଛି। ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ ଭାବେ ଶବ୍ଦର ତୀବ୍ରତା ଯାଞ୍ଚ କରୁଥିବା ଦୃଶ୍ୟ ସେଭଳି ନଜରକୁ ଆସୁନଥିବା ଅଭିଯୋଗ ହେଉଛି। ଭସାଣି ଶୋଭାଯାତ୍ରା ସମୟରେ ବ୍ୟବହୃତ ମାଇକ୍‌, ସାଉଣ୍ଡ ସିଷ୍ଟମ୍‌, ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଶବ୍ଦ ଉତ୍ସର ପ୍ରକୃତ ଡେସିବଲ୍‌ ସ୍ତର ନିୟମିତ ଭାବେ ମାପ ଓ ଯାଞ୍ଚ ନହେବାରୁ ନିୟମ ଉଲ୍ଲଂଘନ ବଢ଼ୁଥିବା ପ୍ରଶ୍ନ ଉଠିଛି। ପାର୍ବଣ ସମୟରେ ଲୋକଙ୍କ ଉତ୍ସବ ପାଳନର ଅଧିକାର ସହିତ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁବିଧା ମଧ୍ୟରେ ସମନ୍ୱୟ ରଖିବା ଏବେ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।

Leave a Reply

Your email address will not be published. Required fields are marked *