Headlines

ବରଗଡ଼ : ଆକାଶବାଣୀ ଶ୍ରୋତା ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:

ବରଗଡ଼,୨୦। ୯
ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ ପକ୍ଷରୁ ଏକ ଭାବପୂର୍ଣ୍ଣ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଜଗନ୍ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭେଟଘାଟରେ ଜିଲ୍ଲା ତଥା ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ଆକାଶବାଣୀ ଶ୍ରୋତା ଯୋଗଦେଇଥିଲେ। ସଂଘର କାର୍ଯକାରୀ ସଭାପତି କୃଷ୍ଣଚନ୍ଦ୍ର ପଧାନ ଉପସ୍ଥିତ ଥିଲେ l ସମ୍ପାଦକ ଅଶୋକ ସାହୁ ନୂଆଖାଇ ଭେଟଘାଟ ର ଉଦ୍ୟେଶ୍ୟ ପ୍ରକାଶ କରିଥିଲେ l


ଶିଶୁ ସାହିତ୍ୟିକ ଡ. ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ବରଂ ଏହା ପଶ୍ଚିମ ଓଡ଼ିଶାର ମାଟି, ମଣିଷ ଓ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ ଏକ ମହାନ ଗଣପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆ ଧାନକୁ ଇଷ୍ଟଦେବତାଙ୍କୁ ଅର୍ପଣ କରିବା ସହ ଏହି ପର୍ବ ପରିବାର ଓ ସମାଜ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ନାଟ୍ୟକାର ତଥା ଇଂରାଜୀ ଅଧ୍ୟାପକ ରାମଚନ୍ଦ୍ର ସାହୁ ନୂଆଖାଇର ମହତ୍ତ୍ୱ ଓ ପରମ୍ପରା ଉପରେ ଆଲୋକପାତ କରି କହିଥିଲେ ଯେ, ନୂଆଖାଇ ଆମକୁ ନିଜ ମୂଳ, ମାଟି ଓ ପରମ୍ପରା ସହ ଯୋଡ଼ି ରଖେ। ଆଧୁନିକତାର ପ୍ରଭାବ ସତ୍ତ୍ୱେ ନୂଆଖାଇର ମୌଳିକ ଭାବନା—ସମ୍ମାନ, ସମ୍ପର୍କ, ସୌହାର୍ଦ୍ଦ୍ୟ ଓ ସାମୂହିକତା—କୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।ସମ୍ମାନିତ ଅତିଥି ସିନେ ଅଭିନେତ୍ରୀ ଡ. ତପସ୍ୱିନୀ ଗୁରୁ ନୂଆଖାଇର ଆତ୍ମୀୟତା ଓ ଭେଟଘାଟ ପରମ୍ପରାର ଗୁରୁତ୍ୱ ଉପରେ ନିଜ ମତ ରଖିଥିଲେ। ନୂଆଖାଇ ଅବସରରେ ପରସ୍ପରକୁ ଭେଟିବା, ଶୁଭେଚ୍ଛା ଜଣାଇବା ଓ ବଡ଼ମାନଙ୍କ ଆଶୀର୍ବାଦ ନେବାର ପରମ୍ପରା ଆମ ସାମାଜିକ ଜୀବନର ଏକ ସୁନ୍ଦର ଦିଗ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମକୁ ସଂଗୀତା ଦୀପ ସୁଚାରୁ ଭାବେ ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀବତ୍ସ ପାଣିଗ୍ରାହୀ ଉଦ୍‌ଘାଟନୀ ସଙ୍ଗୀତ ପରିବେଷଣ କରିଥିଲେ। ସଂଘର ସଦସ୍ୟ ସୁଦାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ସଂଘର ଉପଦେଷ୍ଟା ବିମଲ କିଶୋର ଦାଶ, ଗୋପବନ୍ଧୁ ପୁରୋହିତ, ସମାଜସେବୀ ସଂଘମିତ୍ରା ପଟେଲ, କପିଳେଶ୍ଵର ବାଗ, ବିନୟ କୁମାର ସାହୁଙ୍କ ଓ ସମସ୍ତ ସଦସ୍ୟଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ଓ ହୃଦୟପୂର୍ଣ୍ଣ ସମର୍ଥନ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଶେଷ ଭୂମିକା ନେଇଥିଲା।


ନୂଆଖାଇର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ବାର୍ତ୍ତାକୁ ନେଇ ଆୟୋଜିତ ଏହି ଭେଟଘାଟ ଆକାଶବାଣୀ ଶ୍ରୋତାମାନଙ୍କ ମଧ୍ୟରେ ଆତ୍ମୀୟତା ଓ ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ସମସ୍ତଙ୍କ ମନରେ ଏକତା ଓ ସାଂସ୍କୃତିକ ଗର୍ବର ଭାବନା ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *