କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ

କୋରାପୁଟ, ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଶହ ଶହ ମହିଳା ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ହାତରେ ଠେଙ୍ଗା ଧରି ମହିଳାମାନେ “ଗାଁ ଗାଁରେ ଉଠିବ ଲାଠି, ଯଦି ବନ୍ଦ ନହେବ ମଦ ଭାଟି” ନାରା ଦେଇ ବୋରିଗୁମ୍ମା ଡାକବଙ୍ଗଳାରୁ ଏକ ବିଶାଳ ରାଲିରେ ବାହାରିଥିଲେ।
ମଦ୍ୟପାନ ଯୋଗୁଁ ଯୁବକମାନଙ୍କ ମଧ୍ୟରେ ନିଶାସକ୍ତି ବଢ଼ିବା ସହ ଦୁର୍ଘଟଣା, ପାରିବାରିକ ବିଶୃଙ୍ଖଳା ଓ ସାମାଜିକ ସମସ୍ୟା ବଢ଼ୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ। କଲେଜ ଛାତ୍ରଙ୍କ ମଧ୍ୟରେ ମଧ୍ୟ ମଦ୍ୟପାନ ବଢ଼ୁଥିବା ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।

ରାଲି ପରେ ମହିଳାମାନେ ବୋରିଗୁମ୍ମା ଅବକାରୀ ବିଭାଗ ଓ ଥାନାରେ ଲିଖିତ ଅଭିଯୋଗ ଦେଇ ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରି ରାଜରାସ୍ତାକୁ ଓହ୍ଲାଇବା ଏବଂ ମଦ ଭାଟି ବିରୋଧରେ ପଦକ୍ଷେପ ନେବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।
ଏହି ଆନ୍ଦୋଳନରେ ପିସିସି ସମ୍ପାଦକ ଅନାମ ଦିଆନଙ୍କ ସମେତ ସାନପରିଆ ପଞ୍ଚାୟତର ବହୁ ପୁରୁଷ ସହଯୋଗ କରିଥିଲେ।



Total Users : 6976