Headlines

ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୧୮/୭ – ସତେ ଯେମିତି ବିଗତ କିଛି ମାସ ମଧ୍ୟରେ ବଡ଼ସାହି ବ୍ଲକ ନିଜ କର୍ମ ଘେନି ହାଇଲାଇଟ ବା ଭାଇରାଲ କମ୍ପିଟିସନ ଦୌଡ଼ରେ ଅଂଶ ନେଇଛି ବୋଲି ଜୋର ଚର୍ଚ୍ଚା ହେଉଛି । ପ୍ରଥମେ ଏସଆଇଆର କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ନେଇ ବିଡ଼ିଓ ବନଜା ଦାସ ଚର୍ଚ୍ଚା ଘେରରେ ରହୁଛନ୍ତି । ଦ୍ୱିତୀୟରେ କିଛି ଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ ୩୨ହଜାର ଲାଞ୍ଚ କାରବାରରେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଘଟଣା ହାଇଲାଇଟ ଓ ଭାଇରାଲ ହୋଇଗଲା । ପୁଣି ନଗଦରେ ବ୍ଲକରୁ ବିଦ୍ୟୁତ କାଟ ଘଟଣା ହାଇଲାଇଟ ହୋଇଛି । ସୂଚନା ଅନୁଯାୟୀ ବିଦ୍ୟୁତ ବିଲ ଅନାଦେୟ କାରଣରୁ ବ୍ଲକ କାର୍ଯ୍ୟାଳୟ ତଥା ଷ୍ଟାଫ୍ କ୍ବାର୍ଟର ରୁ ବିଦ୍ୟୁତ ସଂଯୋଗ (ଗତକାଲି) ବିଛିନ୍ନ ହୋଇଛି । ଘଟଣାରୁ ଜଣାପଡିଛି ଗତ ଜୁନମାସ ଶେଷ ପର୍ଯ୍ୟନ୍ତ ୩ଲକ୍ଷ ୮୨ହଜାର ୪୪୭ ଟଙ୍କା ପଇଠ ହୋଇନଥିବା ଯୋଗୁଁ ଏଭଳି ବିଦ୍ୟୁତ କାଟ କରାଯାଇଛି । ତେବେ ବିଦ୍ୟୁତ କାଟ ପର୍ଯ୍ୟନ୍ତ ଏ ସୂଚନା ବିଭାଗ ଅଜାଣତରେ ଥିବା ନେଇ ବିଭାଗୀୟ ତତ୍ପରତା ବା ଦକ୍ଷତା ବାବଦରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରତ୍ୟହ ବ୍ଲକ କାର୍ଯ୍ୟାଳୟକୁ ନିଜ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଜନତା ହଇରାଣ ହେବାକୁ ନେଇ ଏଭଳି ଆସୁବିଧା ପାଇଁ କାହାକୁ ଦାୟୀ କରାଯିବ ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ବିଭାଗରେ ବିଭିନ୍ନ ଶିକ୍ଷିତ ପଦାଧିକାରୀ ଥାଇ ଏଭଳି ଅଣଦେଖା ଘଟଣା ନେଇ ଜନସାଧାରଣଙ୍କ ଅସୁବିଧା ବା ଅଭିଯୋଗ ସମାଧାନ ପାଇଁ କେମିତି ଧ୍ୟାନ ଦିଆଯାଉଛି ତାହା ସହଜରେ ଉପଲବ୍ଧି କରିହେଉଛି ତଥା ବିଭାଗୀୟ କାର୍ଯ୍ୟଦକ୍ଷତା ପଦାରେ ପଡିଛି । ତେବେ ଭାଇରାଲ ହେଉଥିବା ଏହି ବ୍ଲକର ବକେୟା ବିଲ ପଇଠ ପରେ ବିଦ୍ୟୁତ ସଂଯୋଗ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *