Headlines

ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର ।

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଶିକ୍ଷାଗତ ଯୋଗ୍ୟତା ଯାହା ଥାଉ ନା କାହିଁକି, ଖବରଟେ ଲେଖିବାକୁ କହିଲେ ଓଡ଼ିଆ ବନାନର ଜ୍ଞାନ ନଥିବା, କପିପେଷ୍ଟ ସାମ୍ବାଦିକ ଏବେ ମାଳମାଳ । ବିଭିନ୍ନ ବାହାନା, ଧମକ ଦେଇ ଏଭଳି ସାମ୍ବାଦିକ ସାମ୍ବାଦିକର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ମୂଳ ସ୍ତରରୁ ମଧ୍ୟ ଧ୍ୟାନ ଦିଆନଯିବା ପଛରେ ଭୂମିକା ରହୁଥିବା ବ୍ୟକ୍ତିତ୍ୱ ଏସବୁକୁ ଧ୍ୟାନ ଦେବା ନିତାନ୍ତ ଜରୁରୀ ଭଳି ମନେହୁଏ । ଯାହା ଚିନ୍ତାଜନକ ଏବଂ ଏଦିଗରେ ସୁଧାର ଆଣିବା ପାଇଁ ମୂଳସ୍ତରରୁ ପଦକ୍ଷେପ ନେବା ଆବଶ୍ୟକ । ଏନେଇ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟସମୂହ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ଏକ ପତ୍ରରେ ଦର୍ଶାଯାଇ ଜିଲ୍ଲାପାଳଙ୍କୁ ଉକ୍ତ ପତ୍ର ପ୍ରଦାନ କରାଯାଇଛି ।

ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି।
ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍‌ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି ।
ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି।

ଏଣୁ, ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।

Leave a Reply

Your email address will not be published. Required fields are marked *