କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ
୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ • ୨୮ ଜରି ବ୍ୟାଗ୍ • ବୋଲେରୋ ପିକ୍ଅପ୍ ଗାଡି ଜବତ
କୋରାପୁଟ: ଗଞ୍ଜେଇ ଚାଲାଣ ବିରୋଧରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଡ୍ୟାମ ନିକଟରେ ଚଢ଼ାଉ କରି ପୁଲିସ ୬୭୦ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଯୋଗେଶ ଖରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ମାଛକୁଣ୍ଡ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଡ୍ୟାମ ନିକଟରେ ନଜର ରଖିଥିଲା। ଏହି ସମୟରେ ଏକ ବୋଲେରୋ ପିକ୍ଅପ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ୨୮ଟି ଜରି ବ୍ୟାଗ୍ରେ ଭର୍ତ୍ତି ଗଞ୍ଜେଇ ମିଳିଥିଲା। ଓଜନ ପରେ ଏହାର ପରିମାଣ ୬୭୦ କେଜି ୯୦୦ ଗ୍ରାମ ଥିବା ଜଣାପଡ଼ିଥିଲା। ପୁଲିସ ଅନୁସାରେ, ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ। ଏନେଇ ମାଛକୁଣ୍ଡ ଥାନାରେ ଏନ୍ଡିପିଏସ୍ ଆଇନ ଅଧୀନରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପ୍ରକ୍ରିୟା ଜାରି ରହିଛି। ଗଞ୍ଜେଇ ଚାଲାଣ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।






