ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ଟିଟିଲାଗଡ଼ ସହର ମୁଖ୍ୟ ରାସ୍ତା ସଡ଼କ ଗୁଡିକ ଏବେ କଦର୍ଯ୍ୟ ହୋଇ ପଡିଛି l ସ୍ଥାନେ ସ୍ଥାନେ ବଡ଼ ବଡ଼ ଗାତ, ଖାଲ, ଖମା ରେ ଭର୍ତ୍ତି ରହିଛି l ପୁଣି ତୁହା କୁ ତୁହା ବର୍ଷା ଯୋଗୁଁ ଗାତ ଗୁଡିକ ରେ ପାଣି ଭର୍ତ୍ତି ରହିବା ଯୋଗୁଁ କୃତିମ ପୋଖରୀ ର ଭ୍ରମ ସୃଷ୍ଟି କରୁଛି l ସାଧାରଣ ଲୋକେ ଯାତାୟାତ କରିବା ସମୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାରେ ଲାଗିଛନ୍ତି l ଟିଟିଲାଗଡ଼ ଥାନା ଛକ ରୁ ଶାସ୍ତ୍ରୀ ଛକ ଏବଂ ମାଉସୀ ମା ମନ୍ଦିର ଛକ କାଦୁଅ ପଚ ପଚ ହୋଇ ରହିଛି l ପିଚୁ ସଡ଼କ କି ମାଟି କାଦୁଅ ରାସ୍ତା କହିବା ମୁସ୍କିଲ l ପୁଣି ଉକ୍ତ ଗାତ ମାନଙ୍କରେ ନିତିଦିନ ସାଇକେଲ, ବାଇକ ଗୁଡିକ ପଡିବା ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି l ଏଠାରେ ସୂଚନା ଯୋଗ୍ୟ ଯେ ଟିଟିଲାଗଡ଼ ପୌରପରିଷଦ ଅଧୀନରେ ରହିଥିବା ଏହି ରାସ୍ତା ଟି ଜାତୀୟ ରାଜପଥ ୫୯ ଭାବରେ ବର୍ତମାନ ସୁଦ୍ଧା ରହିଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଏହି ରାସ୍ତା ଟି ନିଜ ବିଭାଗ କୁ ନେଇଛି l

ହେଲେ ଦୀର୍ଘ ଆଠ ମାସ ଧରି ରାସ୍ତା ଟି ଖାଲ ଖମା ରେ ଭର୍ତ୍ତି ହୋଇ ରହିଛି l ଭବାନୀପାଟଣା ରାୟପୁର ମୁଖ୍ୟ ରାସ୍ତା ରେ ଥିବା ତୁରକେଲ ବ୍ରିଜ ଭାଙ୍ଗିବା ଅବସ୍ଥାରେ ଥିବା ଯୋଗୁଁ ଭାରୀଯାନ ଯାତାୟାତ ବନ୍ଦ ରହିଛି l ଫଳରେ ସମସ୍ତ ଭାରୀଯାନ ଗୁଡିକ କେସିଙ୍ଗା ଦେଇ ଟିଟିଲାଗଡ଼ ସହର ଭିତରୁ ଯାତାୟାତ କରୁଥିବା ଯୋଗୁଁ ରାସ୍ତା ଟି ଆହୁରି କଦର୍ଯ୍ୟ ହୋଇ ପଡିଛି l ଏନେଇ ପୂର୍ତ୍ତ ବିଭାଗ ସ୍ଥାଣୁ ସାଜିଥିବା ବେଳେ ପୌରପରିଷଦ ବିଭାଗ, ଏନ ଏଚ ବିଭାଗ ବି ନିରବ ରହିବା ଘଟଣା ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ସ୍ଥାନୀୟ ବିଧାୟକ ନବୀନ ଜୈନ ଉକ୍ତ ବିପର୍ଯ୍ୟସ୍ଥ ରାସ୍ତା ପ୍ରତି ଆବଶ୍ୟକ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ସମୟ ମଧ୍ୟରେ ମରାମତି ତଥା ନୃତନ ରାସ୍ତା ନିର୍ମାଣ କରିବାକୁ ସାଧାରଣ ରେ ଦାବୀ ହେଉଛି l






