Headlines

ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା

ଯଶୋବନ୍ତ ପରିଡା/ ​କପ୍ତିପଦା ଉପଖଣ୍ଡ ୧୨/୮/୨୬ (ସମୀକ୍ଷା ନ୍ୟୁଜ): ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାଗୁଡ଼ିକ କିପରି ନିଜେ ରୋଗାଗ୍ରସ୍ତ ହୋଇପଡ଼ିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଏତେ ଶୋଚନୀୟ ଯେ, ଦିନ ଦୁଇପ୍ରହରେ ବିଦ୍ୟୁତ୍ ସେବା ବିନା ମୋବାଇଲ୍ ଲାଇଟ୍ ମାରି ରୋଗୀଙ୍କ ଚିକିତ୍ସା କରାଯାଉଛି।
​ଡାକ୍ତରଖାନାର ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ। କେତେବେଳେ ଡାକ୍ତରଖାନା କୋଠାର ଛାତ ଓ ସିଲିଂ ଖସିପଡ଼ୁଛି ତ କେତେବେଳେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଅନ୍ଧାରରେ ଚିକିତ୍ସା ଚାଲିଛି। ଏପରି ସ୍ଥିତିରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ଜୀବନ କେତେ ସୁରକ୍ଷିତ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
​ସବୁଠୁ ବଡ଼ ବିଡ଼ମ୍ବନାର ବିଷୟ ହେଲା, ଏଭଳି ବ୍ୟାପକ ଅବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କଲେ ସେମାନଙ୍କ ସହ ଦୁର୍ବ୍ୟବହାର କରାଯାଉଛି। ଘଟଣା ସମ୍ପର୍କରେ କପ୍ତିପଦା ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ ଦାୟିତ୍ୱରୁ ଖସିଯିବା ଭଳି ମନ୍ତବ୍ୟ ଦେଇ କହିଥିଲେ ଯେ, “ଯାନ୍ତ୍ରିକ ତ୍ରୁଟି ପାଇଁ ଆମେ କ’ଣ କରିପାରିବୁ?” ଏଭଳି ଉତ୍ତର ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

​ସରକାରୀ ସ୍ୱାସ୍ଥ୍ୟସେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାସ୍ତବରେ ଏହି ଟଙ୍କା କେଉଁଆଡ଼େ ଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ଜଣେ ରୋଗୀ ହସ୍ପିଟାଲକୁ ଆସି ମୌଳିକ ସେବା ତଥା ସଠିକ୍ ଚିକିତ୍ସା ମଧ୍ୟ ପାଇପାରିବ ନାହିଁ, ତେବେ ଏପରି ଡାକ୍ତରଖାନାର ଆବଶ୍ୟକତା କ’ଣ? ସ୍ଥାନୀୟ ଜନସାଧାରଣ ଏବଂ ରୋଗୀଙ୍କ ପରିବାରବର୍ଗ ଗଭୀର ଚିନ୍ତା ଓ ଭୟ ଭିତରେ ରହିଥିବାବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *