କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ

ଦାରିଦ୍ର୍ୟ ଛଡ଼ାଇ ନେଲା ପାଠପଢ଼ାର ସ୍ୱପ୍ନ । ଦିନେ ମେଧାବୀର ଚମକରେ ଉଜ୍ଜ୍ୱଳ ହୋଇଥିଲା ଯାହାଙ୍କ ନାଁ… ଆଜି ସେହି ମେଧାବୀ ଛାତ୍ରୀଙ୍କ ଜୀବନରେ ଅନ୍ଧାର।
ପାଠ ପଢ଼ି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ। ହେଲେ ବାପାଙ୍କ ମୃତ୍ୟୁ ପରେ ପରିବାରର ବୋଝ ତାଙ୍କ କାନ୍ଧରେ। ଟ୍ୟୁସନ କରି ଚଳାଉଛନ୍ତି ଘର, ରୋଗୀଣା ମାଆଙ୍କ ଔଷଧ ଓ ଭାଇଙ୍କ ପାଠପଢ଼ା।
ଦିନେ ଡି ଡି ୟୁନିଭର୍ସିଟି ଟପର୍ ହୋଇଥିବା ଏହି ଛାତ୍ରୀଙ୍କ ପାଠପଢ଼ାରେ ଏବେ ଲାଗିଛି ଡୋରୀ।
କେନ୍ଦୁଝରର ମଧୁସ୍ମିତାଙ୍କ ଆଖିରେ ଆଜି ବି ରହିଛି ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ। ହେଲେ ସ୍ୱପ୍ନ ପୂରଣର ବାଟରେ ପାହାଡ଼ ହୋଇ ଠିଆ ହୋଇଛି ଦାରିଦ୍ର୍ୟ।
ଦିନେ ଯେଉଁ ମେଧାବୀ ଛାତ୍ରୀଙ୍କ ସଫଳତାରେ ଗର୍ବ କରୁଥିଲା କେନ୍ଦୁଝର… ଆଜି ସେହି ଛାତ୍ରୀଙ୍କ ଆଖିରେ ଅସହାୟତାର ଲୁହ।

ଇଏ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ଚକ ଗାଁର ମଧୁସ୍ମିତା ମହାକୁଡ଼। ପ୍ଲସ୍ ଥ୍ରୀରେ ହୋମ୍ ସାଇନ୍ସ ଅନର୍ସ। ଡିଡି ୟୁନିଭର୍ସିଟିରେ ଟପର୍। ନିଜ ମେଧା ବଳରେ ଦିନେ ଖବରକାଗଜ ଓ ଟିଭିର ଶୀର୍ଷକ ପାଲଟିଥିଲେ ମଧୁସ୍ମିତା।
ହେଲେ ଆଜି…
ସେହି ସଫଳତାର କାହାଣୀ ଉପରେ ଯେମିତି ଲାଗିଯାଇଛି ଦାରିଦ୍ର୍ୟର କଳା ବାଦଲ । ୨୦୨୩ରେ ବାପାଙ୍କ ମୃତ୍ୟୁ। ବାପା ଥିଲେ ଜଣେ ଦିନମଜୁରିଆ। ତାଙ୍କ ମୃତ୍ୟୁ ପରେ ପରିବାରର ସବୁ ଦାୟିତ୍ୱ ଆସି ପଡ଼ିଲା ମଧୁସ୍ମିତାଙ୍କ କାନ୍ଧରେ।
ପାଠ ପଢ଼ିବାର ବୟସରେ ସେ ପାଲଟିଗଲେ ପରିବାରର ମୁଖ୍ୟ ଆଶା। ନିଜ ପାଠପଢ଼ା ଜାରି ରଖିବେ କ’ଣ… ଏବେ ଟ୍ୟୁସନ କରି ଘର ଚଳାଉଛନ୍ତି ମଧୁସ୍ମିତା।
ଗାଁର ପ୍ରାୟ ୧୦ ଜଣ ପିଲାଙ୍କୁ ପଢ଼ାଇ ମାସକୁ ମିଳୁଛି ମାତ୍ର ୩ ହଜାର ଟଙ୍କା। ସେହି ଟଙ୍କାରେ ଘର ଚଳୁଛି। ରୋଗୀଣା ମାଆଙ୍କ ଔଷଧ କିଣା ହେଉଛି। ସାନ ଭାଇର ପାଠପଢ଼ା ଖର୍ଚ୍ଚ ବି ଉଠୁଛି।ଦୁଇ ଭଉଣୀଙ୍କ ବାହାଘର ପାଇଁ ଋଣ କରିଥିଲେ। ଏବେ ଟ୍ୟୁସନ ଟଙ୍କାରୁ ସେହି ଋଣ ବି ସୁଝୁଛନ୍ତି। ନିଜେ କମ୍ପ୍ୟୁଟର ପିଜିଡିସିଏ କୋର୍ସ ମଧ୍ୟ କରିଛନ୍ତି। ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଥିଲେ। ହେଲେ ସେହି କାମ ବି ବନ୍ଦ ହୋଇଯାଇଛି। ଏବେ ଟ୍ୟୁସନ ହିଁ ଏକମାତ୍ର ଆଶା। ଆଉ ଗାଁର ଗରିବ ପିଲାମାନଙ୍କୁ ବିନା ପଇସାରେ ପଢ଼ାଉଛନ୍ତି ମଧୁସ୍ମିତା।ନିଜେ ଅଭାବରେ ଥାଇ ବି ଅନ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି। ମଧୁସ୍ମିତାଙ୍କ ସ୍ୱପ୍ନ ଥିଲା ପାଠ ପଢ଼ି ଶିକ୍ଷୟିତ୍ରୀ ହେବେ। ନିଜ ଗୋଡ଼ରେ ଠିଆ ହେବେ। ପରିବାରକୁ ଭଲରେ ଚଳାଇବେ। ହେଲେ କେନ୍ଦୁଝରରେ ହୋମ୍ ସାଇନ୍ସରେ ପିଜି ପଢ଼ିବାର ସୁଯୋଗ ନଥିବାରୁ ଆଗକୁ ପଢ଼ିପାରିଲେ ନାହିଁ। ବାହାରକୁ ଯାଇ ପଢ଼ିବା ପାଇଁ ନାହିଁ ଆର୍ଥିକ ସମ୍ବଳ।ତଥାପି ମନରେ ଆଶା ମରିନାହିଁ। ସେ ବିଏଡ୍ ପଢ଼ିବାକୁ ଚାହାଁନ୍ତି। ଶିକ୍ଷୟିତ୍ରୀ ହୋଇ ନିଜ ପରିବାରର ଦୁଃଖ ଦୂର କରିବାକୁ ଚାହାଁନ୍ତି। କିନ୍ତୁ ଏଥିପାଇଁ ଦରକାର ଆର୍ଥିକ ସହାୟତା। ଆବଶ୍ୟକ କେବଳ ଟିକିଏ ସହଯୋଗ, ଟିକିଏ ଆଶ୍ୱାସନା।କାରଣ ଦାରିଦ୍ର୍ୟ ଯେମିତି ତାଙ୍କ ଶିକ୍ଷାରେ ବାଧା ନସାଜୁ, ସେଥିପାଇଁ ଆବଶ୍ୟକ ସମାଜ ଓ ସରକାରଙ୍କ ସହଯୋଗ।






