Headlines

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଶ୍ରୀ କରଣ ଆଦାନୀ: ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ସମ୍ଭାବନା ବିଷୟରେ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୧୩ ଅଗଷ୍ଟ, ୨୦୨୬ : ଶ୍ରୀ କରଣ ଆଦାନୀ ଓ ତାଙ୍କ ଟିମ୍‌ ଆଜି ଖାରବେଳ ଭବନଠାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଶକ୍ତି ବିଭାଗର ବରିଷ୍ଠ ନେତୃବୃନ୍ଦ ଏବଂ ଆଦାନୀ ଗ୍ରୁପର କାର୍ଯ୍ୟନିର୍ବାହୀ ଟିମ୍‌ ସହ ଶ୍ରୀ କରଣ ଆଦାନୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟରେ ଦୀର୍ଘକାଳୀନ ଶକ୍ତି ସୁରକ୍ଷା, ଗ୍ରିଡ୍ ସ୍ଥିରତା ଏବଂ ସ୍ଥାୟୀ ଶକ୍ତି ବିକାଶର ଲକ୍ଷ୍ୟକୁ ସୁଦୃଢ଼ କରିବା ପାଇଁ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମି, ବିଶେଷ କରି ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ (PSP), ସୌର ଶକ୍ତି ଉତ୍ପାଦନ ଏବଂ ପରମାଣୁ ଶକ୍ତି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ପୂର୍ବରୁ ଥରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଓଡ଼ିଶାର ଶକ୍ତି କ୍ଷେତ୍ରରେ ନିବେଶ କରିବା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଥିଲେ। ଆଜିର ବୈଠକରେ ମଧ୍ୟ ଓଡ଼ିଶାର ସ୍ୱଚ୍ଛ ଶକ୍ତିରେ ନିବେଶ ଯଥା ୩୦୦୦ ମେଗାୱାଟ ବିଶିଷ୍ଟ ଦୁଇଟି ପାୱାର ପ୍ଲାଣ୍ଟ ସ୍ଥାପନ କଥାକୁ ଦୋହରାଇଛନ୍ତି।

ନିରବଚ୍ଛିନ୍ନ ତଥା କାର୍ବନ ମୁକ୍ତ ବେସଲୋଡ୍ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେତୃବୃନ୍ଦ ଅକ୍ଷୟ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ଏଥିସହ ଅନ୍ୟାନ୍ୟ ରାଜ୍ୟରେ ଥିବା ଆଦାନୀ ଗ୍ରୁପର ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବା ପାଇଁ ଆଦାନୀ ଗ୍ରୁପ୍ ପକ୍ଷରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି।

Leave a Reply

Your email address will not be published. Required fields are marked *