ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କୁକୁଟବନ୍ଧ ନିକଟ ମୁଖ୍ୟ ରାସ୍ତା ରେ ଯାଉଥିବା ଏକ ଅଟୋ କୁ ଅଟକାଇ ସେଥିରେ ବସିଥିବା ଲୋକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ଧମକ ଦେଇ ସେମାନଙ୍କ ପାଖରୁ ୨୨୦୦ ଟଙ୍କା ଜୋର ଜବରଦସ୍ତ କରି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ବମୋକେଇ ଗ୍ରାମର କାମନା ସେଠୀ ଓ ତାଙ୍କ ସ୍ବାମୀ ବିଷ୍ଣୁ ପ୍ରସାଦ ସେଠୀ ଅନ୍ୟ ଯାତ୍ରୀ ମାନଙ୍କ ସହ ଅଟୋ ରିକ୍ସା ରେ ଫେରୁଥିବା ସମୟରେ ଏକ ପୋଲସର୍ ମୋଟର ସାଇକେଲ ଯୋଗେ (ନଂ- ଓଡି ୦୭ ଏଆର – ୩୫୦୩) ରେ ତିନି ଜଣ ଯୁବକ ଆସି ସେମାନଙ୍କୁ ଅଟକାଇ ପ୍ରଥମେ ଡ଼୍ରାଇଭରକୁ ମାଡ଼ ମାରିଥିଲେ। ବିଷ୍ଣୁ ପ୍ରସାଦ ପ୍ରତିବାଦ କରିବାରୁ ସେମାନେ ତାକୁ ମାଡ଼ ମାରି ରକ୍ତାକ୍ତ କରିବା ସହ ଜୀବନରୁ ମାରିଦେବା ଧମକ ଦେଇ ଜୋର ଜବରଦସ୍ତ ପକେଟ୍ ରୁ ୨୨୦୦ ଟଙ୍କା ଛଡ଼ାଇ ନେଇଥିଲେ। ଏହା ଦେଖି କାମନା ତାଙ୍କ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସହ ଚିତ୍କାର କରିଥିଲେ। ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ଅଶ୍ଳୀଳ ବ୍ୟବହାର କରିବା ସମୟରେ କାମନାର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିବା ଦେଖି କିଛି ଉପାୟ ନପାଇ ଅଭିଯୁକ୍ତ ମାନେ ସେଠାରେ ଗାଡ଼ିଟି ଛାଡ଼ି ଫେରାର ହୋଇଯାଇଥିଲେ। ଘଟଣା ପରେ କାମନା ସେଠୀ କେ. ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତିନି ଜଣ ଯୁବକ କୁ ଗିରଫ କରିଛି। ଗୁରୁବାର ସକାଳ ୯ ଟା ସମୟରେ ଗିରଫ କରାଯାଇଥିବା ଧାନ୍ୟରାଶି ଗ୍ରାମର ସାଗର ପ୍ରଧାନ (୨୬) ଏମ ବାପି (୨୦) ଏବଂ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରଧାନ (୧୮) ଅଭିଯୁକ୍ତ ମାନଙ୍କ ପାଖରୁ ଏକ ଲୁହା ରୋଡ଼, ନଗଦ ୧୧୦୦ ଟଙ୍କା ଓ ଘଟଣା ସ୍ଥଳରେ ଛାଡ଼ି ଥିବା ଗାଡ଼ିକୁ ଜବତ କରି ଅଭିଯୁକ୍ତ ମାନଙ୍କ ନାରେ ପୋଲିସ କେସ (ନଂ ୧୭୯/୨୬) ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ ସୂଚନା ଦେଇଛନ୍ତି।


Total Users : 3679