ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୫/୦୮: ଭବାନୀପାଟଣା: ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଚାଷୀଙ୍କ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ବୈଜ୍ଞାନିକ ଚାଷ ପଦ୍ଧତି, ଫସଲର ଉଚିତ ପରିଚାଳନା ଏବଂ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୃଷି ବିଭାଗର ମୂଳସ୍ତରୀୟ କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନ ରହି ନିୟମିତ ଭାବେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆବଶ୍ୟକ। ଚାଷୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କିସାନ କଲ୍ ସେଣ୍ଟର ମାଧ୍ୟମରେ କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ନିୟମିତ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇ କୃଷି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ।
ସେହିପରି, ଚାଷୀମାନେ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ଉଚିତ ସମୟରେ ବିକ୍ରୟ କରିପାରିବା ପାଇଁ ଉପଖଣ୍ଡସ୍ତରରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀତଳ ଭଣ୍ଡାର ବ୍ୟବସ୍ଥା ବୃଦ୍ଧି ହେଲେ ଫସଲ ନଷ୍ଟ ହ୍ରାସ ପାଇବା ସହ ଚାଷୀମାନେ ଉଚିତ ମୂଲ୍ୟ ପାଇ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ଅଜୟ ପ୍ରଧାନଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ


Total Users : 3607