Headlines

ଜାତୀୟ ପତାକା ଉତ୍ତୋଳନ କଲେ ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ: ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ : ୧୫.୦୮.୨୦୨୬: ବରଗଡ଼ ରାଜରାସ୍ତାରେ ଆଜି ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷା, କ୍ରିଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ସମାରୋହରେ ପଦ୍ମଶ୍ରୀ ଡ଼ ହଳଧର ନାଗଙ୍କ ସମେତ ୧୦ ଜଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା। ବାଳକ ଏବଂ ବାଳିକା ବର୍ଗର ସର୍ବୋତ୍ତମ ଏନ.ସି.ସି. କେଡେଟ, ସ୍କାଉଟ ଗାଇଡ଼ ଏବଂ ବି.ଏସ.ଇ, ସି. ବି.ଏସ.ଇ ଓ ଆଇ.ସି.ଏସ.ଇ. ଦଶମ ବୋର୍ଡ ପରୀକ୍ଷାରେ ବରଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜଣେ ବାଳକ ଏବଂ ଜଣେ ବାଳିକାଙ୍କୁ ମିଶାଇ ସର୍ବମୋଟ ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ୟାରେଡ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ଶତପଥି  ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମୁଖ୍ୟ ଅତିଥିଙ୍କୁ ପେରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ଗୋୟଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା ପେରେଡ କମାଣ୍ଡରଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୩୬ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ ପେରେଡ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। 

ମୁଖ୍ୟ ଅତିଥି ଶ୍ରୀ ଗୋୟଲ ନିଜ ଅଭିଭାଷଣରେ ବରଗଡ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଏବଂ ବଳିଦାନର ଇତିହାସ ବିଷୟରେ କହିବା ସହ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ କହିଥିଲେ । ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ସେବା, କ୍ରିଡା, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଠନ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଭାଗୀତା ଲୋଢିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲପାଳ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ମିଳିତ ପ୍ୟାରେଡର ସମାପ୍ତି ପରେ ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥି ସମାରୋହରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଜିଲ୍ଲା କାରାଗାର ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ କରିବା ପରେ ଜିଲ୍ଲା ମୁଖ୍ୟ କିକିତ୍ସାଳୟରେ ବୃକ୍ଷ ରୋପଣ ସହ ସରସରା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ସାମାନ୍ୟ ଆଘାତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଏବଂ ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ମିଳିତ ଭାବେ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ମୁଖ୍ୟ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ବରଗଡ, ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *