ଫୁଲନଖରା/ସମୀକ୍ଷା ନ୍ୟୁଜ୍/ ସ୍ୱତନ୍ତ୍ର ପ୍ରତିନିଧି/ ୧୫ ଅଗଷ୍ଟ ୨୦୨୬: ଫୁଲନଖରାସ୍ଥିତ ଅଡାଲିଆ କୋଭେଣ୍ଟ ଗାର୍ଡେନ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ସହ ପାଳିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ନୌସେନା ଭେଟେରାନ୍ କ୍ୟାପଟେନ୍ ଦେବେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସୋସାଇଟିର ପ୍ରାୟ ୧୦୦ ଜଣ ଅନ୍ତେବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ “ବନ୍ଦେ ମାତରଂ” ଓ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି କ୍ୟାପଟେନ୍ ସ୍ୱାଇଁ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଏବଂ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ।
ଏହା ପରେ ସିଜିଡିଓଏର ସଭାପତି ଡଃ. ଭାବନା ଗୁପ୍ତା, ସମ୍ପାଦକ ମାନଗୋବିନ୍ଦ ମିଶ୍ର, ଡାକ୍ତର ଜୟଶ୍ରୀ ରଥ ଏବଂ ଗିରିଜା ଚାନ୍ଦ ସ୍ୱାଧୀନତା ଦିବସ ଉପରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ଗିରିଜା ଚାନ୍ଦ ସଭା ପରିଚାଳନା କରିବା ସହ ଏକ ମନୋମୁଗ୍ଧକର ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ।
ଉତ୍ସବରେ ସୋସାଇଟିର କୁନି କୁନି ଶିଶୁ କଳାକାର—ତନଭି, ରିଷଭ, ଅଞ୍ଜନେୟ, ଆଦୈତ୍ୟ, ଶ୍ରେୟଂସ, ଆରୋହୀ, ବିରାଜ, ତାନ୍ୟା, ଆରୋଷିକ୍ୟ, ତକ୍ଷ୍ୟା, ଦେବାଂଶି ଓ ଦେବତା ସଙ୍ଗୀତ, ନୃତ୍ୟ ଏବଂ ବାଦ୍ୟଯନ୍ତ୍ର ପରିବେଷଣ କରି ସମଗ୍ର ପରିବେଶକୁ ଉତ୍ସବମୁଖର କରିଦେଇଥିଲେ। ସମସ୍ତ ଅଂଶଗ୍ରହଣକାରୀ ଶିଶୁ କଳାକାରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ସମସ୍ତ ଉପସ୍ଥିତ ଅନ୍ତେବାସୀ ଓ ସହଯୋଗୀଙ୍କ ପାଇଁ ଜଳଖିଆ ଓ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ସୋସାଇଟି ପରିସରରେ ଏକ ନୂତନ ପଠନ କକ୍ଷ (Reading Room) ପ୍ରତାପ ଚନ୍ଦ୍ର ପରିଡାଂକ ଦ୍ବାରା ଉଦଘାଟିତ ହୋଇଥିଲା।
ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ


Total Users : 3609