
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: କାଷ୍ଟ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଲକାନଗିରି ଜିଲ୍ଲା ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କିଲ ର ରାଜସ୍ୱ ନିରୀକ୍ଷକ (ଆରଆଇ) ସୁରଜ ବାଲା ଙ୍କୁ ଓଡିଶା ଭିଜିଲାନ୍ସ ଏମ ଭି ୮୬ ଗ୍ରାମର ମିଥୁନ ସେନ ନାମକ ଆବେଦନକାରୀଙ୍କ ଠାରୁ ତାଙ୍କ ପତ୍ନୀଙ୍କ ନାମରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ ପାଇଁ ଯାଞ୍ଚ ରିପୋର୍ଟ ଦାଖଲ କରିବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ଦାବି କରୁଥିବା ଏବଂ ନେଉଥିବା ସମୟରେ ଗିରଫ କରିଛି।
ଆବେଦକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅନଲାଇନରେ ଆବେଦନ କରିଥିଲେ ଏବଂ ଆବଶ୍ୟକୀୟ ଫି ମଧ୍ୟ ଜମା କରିଥିଲେ। କିନ୍ତୁ, ଅଭିଯୁକ୍ତ ଆର.ଆଇ. ଶ୍ରୀ ବାଲା ଅଯଥାରେ ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ ଏବଂ ଆବେଦନକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶ୍ରୀ ବାଲା ଅଭିଯୋଗକାରୀଙ୍କୁ ବର୍ତ୍ତମାନ ପାଇଁ ୮ ହଜାର ଟଙ୍କା ଏବଂ କାମ ସରିବା ପରେ ୨ ହଜାର ଟଙ୍କା ଦେବାକୁ କହିଥିଲେ।
ଦାବି କରାଯାଇଥିବା ଲାଞ୍ଚ ଏବଂ ହଇରାଣରେ ପୀଡିତ ହୋଇ ଅଭିଯୋଗକାରୀ ଭିଜିଲାନ୍ସ ଅଧିକାରୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହି ମାମଲାରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଶ୍ରୀ ବାଲା, ଆର.ଆଇ.ଙ୍କୁ ତାଙ୍କ କାର୍ଯ୍ୟାଳୟ ଚାମ୍ବର ରେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ଅଭିଯୁକ୍ତ ଶ୍ରୀ ବାଲାଙ୍କ କବଜାରୁ ୮ ହଜାର ଟଙ୍କା ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଯାଞ୍ଚ ପରେ, ଅନୁପାତହୀନ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଶ୍ରୀ ବାଲା, ଆର.ଆଇ.ଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ କରାଯାଉଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପି.ଏସ୍. ମାମଲା ନମ୍ବର ୧୯/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜୀକୃତ ହୋଇଛି। ଅଭିଯୁକ୍ତ ଶ୍ରୀ ବାଲା, ଆର.ଆଇ.ଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି ବୋଲି ଡ଼ିଏସପି ସଦାନନ୍ଦ ପାଣି ପ୍ରକାଶ କରିଛନ୍ତି।
ପୂର୍ବରୁ, ସୂରଜ ବାଲାଙ୍କ ନାମରେ କୋରାପୁଟ ଭିଜିଲାନ୍ସ ପି.ଏସ. ମାମଲା ନମ୍ବର ୩୩/୨୦୨୩ ଅନୁଯାୟୀ ଅନ୍ୟ ଏକ ଟ୍ରାପ୍ ମାମଲା ରହିଛି। ଯେଉଁଠାରେ ସେ ଏକ ମାମଲାରେ ହାଜର ନୋଟିସ୍ ଜାରି କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଉକ୍ତ ମାମଲାଟି ବର୍ତ୍ତମାନ ବିଚାରାଧୀନ ରହିଛି।


Total Users : 3741