ରତିକାନ୍ତ ନାୟକ /ଧାମନଗର/ସମୀକ୍ଷା ନ୍ୟୁଜ :
ଭଦ୍ରକ ଜିଲ୍ଲାର ଆରଡ଼ି, ସୁନ୍ଦରପୁର, ପାଳସାହ, ସାହସପୁର, ହସନାବାଦ ଆଦି ପଞ୍ଚାୟତ ସମେତ ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମେଘା ପାନୀୟ ଜଳ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଦୀର୍ଘ ଆଠ ବର୍ଷ ଧରି ପ୍ରକଳ୍ପର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାଏଁ ଲୋକଙ୍କୁ ଆଶାନୁରୂପ ଭାବେ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ। ଫଳରେ ମେଘା ପାଣିକୁ ଅପେକ୍ଷା କରି କରି ଅଞ୍ଚଳବାସୀ ନିରାଶ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଆଠ ବର୍ଷ ହେବ ମେଘା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ହାତକୁ ନେଇଥିବା ଠିକାଦାରଙ୍କ ପକ୍ଷରୁ ରାସ୍ତା ଖୋଳି ପାଇପ୍ ବିଛାଇବା ଏବଂ ପରେ ପୋତିବା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳୁଛି। କିନ୍ତୁ ପ୍ରକଳ୍ପର କାର୍ଯ୍ୟ କେବେ ଶେଷ ହେବ ଏବଂ ଲୋକଙ୍କ ଘରକୁ କେବେ ନିୟମିତ ପାଣି ପହଞ୍ଚିବ, ସେନେଇ ସ୍ପଷ୍ଟତା ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତାଗୁଡ଼ିକୁ ମଧ୍ୟ ପାଇପ୍ ବିଛାଇବା ନାମରେ ଖୋଳାଯାଇ ନଷ୍ଟ କରାଯାଉଛି। ଏହାଦ୍ୱାରା ରାସ୍ତାର ଅବସ୍ଥା ଖରାପ ହେବା ସହ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାକଡ଼ରେ ପଡ଼ି ରହୁଥିବା ପଥର, ମାଟି ଓ ନିର୍ମାଣ ସାମଗ୍ରୀ ଯୋଗୁଁ ସାଧାରଣ ଲୋକଙ୍କ ଚଳପ୍ରଚଳ ମଧ୍ୟ ପ୍ରଭାବିତ ହେଉଛି। ବିଶେଷକରି ଦୈନନ୍ଦିନ ଯାତାୟାତ କରୁଥିବା ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ରାସ୍ତା ଖୋଳା ଓ ପୋତା କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଗୋଟିଏ ପଟେ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ, ଅନ୍ୟପଟେ ରାସ୍ତା ନଷ୍ଟ ହେବା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଯେଉଁ ପ୍ରକଳ୍ପ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଏବଂ ଜଳକଷ୍ଟ ଦୂର କରିବା ପାଇଁ ଉଦ୍ଦିଷ୍ଟ, ତାହା ଏବେ ଅନେକଙ୍କ ପାଇଁ ନିରାଶାର କାରଣ ପାଲଟିଛି। ଏହି ପ୍ରକଳ୍ପର କାର୍ଯ୍ୟ ତଦାରଖ କରୁଥିବା ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଠିକାଦାରଙ୍କ କାର୍ଯ୍ୟର ନିୟମିତ ଯାଞ୍ଚ ହେଉଛି କି ନାହିଁ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ କି ପଦକ୍ଷେପ ନିଆଯାଇଛି ଏବଂ ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ପୁନରୁଦ୍ଧାର କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଆଠ ବର୍ଷ ଧରି ପ୍ରକଳ୍ପକୁ ନେଇ ଅପେକ୍ଷା କରିଥିବା ଜନସାଧାରଣ ଏବେ ଆଉ ପ୍ରତିଶ୍ରୁତି ନୁହେଁ, ବରଂ ତୁରନ୍ତ କାର୍ଯ୍ୟକାରୀ ପଦକ୍ଷେପ ଆଶା କରୁଛନ୍ତି। ମେଘା ପାନୀୟ ଜଳ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବା, ଘରେ ଘରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଏବଂ ଖୋଳାଯାଇଥିବା ରାସ୍ତାଗୁଡ଼ିକର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ଆଠ ବର୍ଷର ଅପେକ୍ଷା ପରେ ମଧ୍ୟ ଯଦି ଲୋକଙ୍କ ଘରେ ପାଣି ପହଞ୍ଚିପାରୁନାହିଁ, ତେବେ ଏହି ପ୍ରକଳ୍ପ କେବେ ପୂର୍ଣ୍ଣାଙ୍ଗ ରୂପ ନେବ? ଏହାର ଉତ୍ତର ଏବେ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଓ ପ୍ରଶାସନଠାରୁ ଆଶା କରୁଛନ୍ତି।





