ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଝାରବନ୍ଧ, ୧୪/୧୦ ଝାରବନ୍ଧ ବ୍ଲକରେ ଥିବା ପିଏମ୍ଶ୍ରୀ ବିଦ୍ୟାଳୟ ନୀଳଜୀପତ୍ରା ଏବଂ ଭଣ୍ଡାରପୁରୀ କୁ ମଙ୍ଗଳବାର ବରିଷ୍ଠ ଓଡ଼ିଶା ଶିକ୍ଷା ସେବା ଅଧିକାରିଣୀ ତଥା ବିଏସଇ ଓଡ଼ିଶାର ଡେପୁଟି ସେକ୍ରେଟାରୀ କଳ୍ପନା ହାଁସଦା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପେଡାଗୋଜି କୋର୍ଡିନେଟର ପୁଷ୍ପାଞ୍ଜଳି ଦାଶ ଏବଂ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ତାଙ୍କ ସହ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ପିଏମ୍ଶ୍ରୀ ଯୋଜନା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ବିଭିନ୍ନ ଶିକ୍ଷାମୂଳକ ପଦକ୍ଷେପର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଏଥିସହ ବିଦ୍ୟାଳୟଗୁଡ଼ିକ ପିଏମ୍ଶ୍ରୀ ମାନ୍ୟତା ପାଇବା ପରେ ଶିକ୍ଷା ବ୍ୟବସ୍ଥାରେ ଆସିଥିବା ପରିବର୍ତ୍ତନ ଏବଂ ସ୍ଥାନୀୟ ଅଞ୍ଚଳ ଉପରେ ଏହାର ପ୍ରଭାବ ସମ୍ପର୍କରେ ମଧ୍ୟ ଆକଳନ କରିଥିଲେ। ଯୋଜନାର ସୁଫଳ ଛାତ୍ରଛାତ୍ରୀଙ୍କ ପାଖରେ କେତେଦୂର ପହଞ୍ଚିପାରୁଛି ଏବଂ ବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ କିଭଳି ଉନ୍ନତି ଆସିଛି, ସେ ସମ୍ପର୍କରେ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ମାଧ୍ୟମରେ ତୃଣମୂଳସ୍ତରରେ ଯୋଜନାର ଅଗ୍ରଗତି ଓ ଏହାର ପ୍ରଭାବ ଆକଳନ କରିବା ସହ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା।






