ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମପଞ୍ଚାୟତ ସ୍ଥାନୀୟ ଡାକଘରେ କେତେକ ଜମାକାରୀଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଜମାକାରୀଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁଦାବି ହୋଇଛି। ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା ଗ୍ରାମର ଲୋଚନ ବନଛୋରଙ୍କ ଆକାଉଣ୍ଟରୁ 20000 ଟଙ୍କା, ବୃନ୍ଦା ଶବରଙ୍କ ଆକାଉଣ୍ଟରୁ 20000 ଟଙ୍କା, ରାଜେଶ ଦଳପତିଙ୍କ ଝିଅ ସାଇ ସଂପୂର୍ଣ୍ଣା ଦଳପତିଙ୍କ ଆକାଉଣ୍ଟରୁ 11000 ଟଙ୍କା ସୁକନ୍ୟାଯୋଜନା ର ଟଙ୍କା ଉଠାଣ, ମନୋରଞ୍ଜନ ଦଳପତି ଙ୍କ 2000 ଟଙ୍କା, ସିଦ୍ଧି ସୁତା ବେହେରା ଙ୍କ 15000 ଟଙ୍କା, ଆଭାସ ବେହେରା ଙ୍କ 15000 ଟଙ୍କା କରାଯାଇଛି।

ସେହିପରି ଜେଠୁପାଲି ଗ୍ରାମର ଚିନ୍ତାମଣି ନାଏକ ଓ ତାଙ୍କ ସ୍ତ୍ରୀ ପ୍ରଭାବତୀ ନାଏକ ଙ୍କ ଆକାଉଣ୍ଟରୁ ମିଳିତ ଭାବେ 40000ହଜାର ଟଙ୍କା, ବିକି ପ୍ରଧାନୀଙ୍କ 1500ଟଙ୍କା, ଲବ ନାଏକ 4000ଟଙ୍କା, ଲଳିତା ନାଏକ 1000ଟଙ୍କା, ଅମ୍ବିକା ରାଉତ ପିତା ଗଣପତି ରାଉତ ଙ୍କ ସୁକନ୍ୟା ଯୋଜନା ର 3000 ଟଙ୍କା, ପ୍ରିୟାଂଶୁ ନାୟକ 3500ଟଙ୍କା, ନିହାରିକା ନାଏକ 2000ଟଙ୍କା, ପ୍ରଵାତୀ ଅଧିକାରୀ 2000ଟଙ୍କା, କସ୍ତୁରୀ ରାଉତ 20000ଟଙ୍କା, ଇସିତା ରାଉତ 2000ଟଙ୍କା, ଅନୁଷ୍କା ତାଣ୍ଡି 20000ଟଙ୍କା, ତନୁଷ୍କା ତାଣ୍ଡି 20000ଟଙ୍କା, ଦମୟନ୍ତୀ ତାଣ୍ଡି 2,34,000 ଟଙ୍କା ଗାଏବ ହୋଇଯାଇଛି।ଆଉ ମଧ୍ୟ୍ ଅନେକ ଜମାକାରୀ ଙ୍କ ସଂଖ୍ୟା ବଢିବ ବୋଲି କୁହାଯାଉଛି। ଆକାଉଣ୍ଟଧାରୀଙ୍କ ଅଜାଣତରେ କିଏ ଏସବୁ ଟଙ୍କା ଉଠାଇଛି, ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟ ଅଫିସରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଏସବୁ ଟଙ୍କା ହଡ଼ପ କରିଥିବା ଜମାକାରୀ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତି ସମ୍ପର୍କରେ ସ୍ଥାନୀୟ ଲୋକେ ଡାକ ବିଭାଗ ଇନ୍ସପେକ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଘଟଣାର ତଦନ୍ତପରେ ସମସ୍ତ ଜମାକାରୀଙ୍କ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ସୁରକ୍ଷିତ ଭାବେ ଫେରାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିକୁ 13ଦିନ ବିତିଯାଇଥିଲେ ସୁଦ୍ଧା ଡାକ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ନିଜ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିଥିବା ଗରିବ ଓ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛନ୍ତି। ଡାକବିଭାଗର ନିରବତା ନେଇ ସେମାନେ ନିଜ ଅର୍ଥ ଫେରିପାଇବେ କି ନାହିଁ, ତାହାକୁ ନେଇ ସନ୍ଦେହରେ ରହିଛନ୍ତି । ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଏଥିରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନନେଲେ ଆଗାମୀଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜମାକାରୀ ଚେତାବନୀ ଦେଇଛନ୍ତି।ତେଣୁକରି ଗରିବ ହିତାଧିକାରୀମାନଙ୍କ ହିତ ନିମନ୍ତେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏହାର ଉଚିତ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବୀ ରହିଛି।






