ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅବହେଳା ଓ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ପ୍ରାୟ ଦୁଇ ବର୍ଷ ତଳେ ଗ୍ରାମରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇନାହିଁ। ଅଧାକାମ କରି ଠିକାଦାର କାମ ଛାଡ଼ିଦେଇଥିବାରୁ ନିର୍ମାଣାଧୀନ ପାଣିଟାଙ୍କି ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଗ୍ରାମରେ ପୂର୍ବରୁ ହିଁ ଜଳସଙ୍କଟ ଲାଗିରହିଛି।

ବିଶେଷକରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପଞ୍ଚାୟତ ପକ୍ଷରୁ ଟ୍ରାକ୍ଟର ଯୋଗେ ପାଣି ଯୋଗାଣ କରାଯାଉଥିଲେ ମଧ୍ୟ ତାହା ଗ୍ରାମବାସୀଙ୍କ ଆବଶ୍ୟକତା ତୁଲାଇବାରେ ନିଅଣ୍ଟ ପଡ଼ୁଥିବା ଅଭିଯୋଗ ହୋଇଛି। ଜଳସଙ୍କଟର ସ୍ଥାୟୀ ସମାଧାନ ପାଇଁ ନିର୍ମାଣାଧୀନ ପାଣିଟାଙ୍କିର କାମ ତୁରନ୍ତ ସମ୍ପୂର୍ଣ୍ଣ କରି ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆଗାମୀ ଗ୍ରୀଷ୍ମ ପୂର୍ବରୁ ଏହାର ସମାଧାନ ନହେଲେ ଜଳସଙ୍କଟ ଆହୁରି ଗୁରୁତର ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜେଇ ବିଶ୍ୱଜିତ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ତେବେ ଦୁଇ ବର୍ଷ ଧରି ଅଧାକାମ ହୋଇ ପଡ଼ିରହିଥିବା ଏହି ପାଣିଟାଙ୍କି କେବେ ସମ୍ପୂର୍ଣ୍ଣ ହେବ ଏବଂ ଗ୍ରାମବାସୀ କେବେ ନିୟମିତ ପାନୀୟ ଜଳ ପାଇବେ, ତାହା ଏବେ ପ୍ରଶ୍ନବାଚୀ ହୋଇଛି






