ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ
ଖୋରଧା, ସେପ୍ଟେମ୍ବର ୨୩ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପ୍ରଭାବରେ ଖୋରଧା ଜିଲ୍ଲାରେ ତୁହାକୁ ତୁହା ବର୍ଷାର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସମୟରେ ବର୍ଷା ଲାଗି ରହିଥିଲା। ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ ହ୍ରାସ ପାଇଥିବାବେଳେ ବଜାର ସହର ସାଧାରଣ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ମଧ୍ୟ ତୁଳନାତ୍ମକ ଭାବେ ଖାଁ ଖାଁ ଦେଖାଯାଇଥିଲା। ସହରରେ ଅନେକ ଦୋକାନ ବଜାର ବନ୍ଦ ରହିଛି। ଆଜି ଜିଲ୍ଲାରେ ରେକର୍ଡ ହୋଇଥିବା ବର୍ଷା ମଧ୍ୟରେ ଟାଙ୍ଗୀରେ ସର୍ବାଧିକ ୭୮ ମି.ମି. ବର୍ଷା ରେକର୍ଡ ହୋଇଛି। ଏହା ପଛକୁ ଭୁବନେଶ୍ୱରରେ ୭୨.୩ ମି.ମି. ବାଲିପାଟଣାରେ ୫୮ ମି.ମି. ବର୍ଷା ହୋଇଛି। ଅଧିକ ବର୍ଷା ହୋଇଥିବା ଏହି ଅଞ୍ଚଳଗୁଡ଼ିକର ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ଆଶଙ୍କା ବଢ଼ିଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ରେ ମଧ୍ୟ ବର୍ଷାର ପରିମାଣ କମ ନଥିଲା। ବାଲିଅନ୍ତାରେ ୪୨ ମି.ମି., ଜଟଣୀରେ ୪୧ ମି.ମି. ଏବଂ ଚିଲିକାରେ ୩୭ ମି.ମି, ବାଣପୁର ଓ ବେଗୁନିଆରେ ୨୭ ମି.ମି. ଖୋରଧାରେ ୨୪ ମି.ମି. ଏବଂ ବୋଲଗଡ଼ରେ ୧୯ ମି.ମି. ବର୍ଷା ହୋଇଥିବା ଜିଲ୍ଲାର ବର୍ଷା ତଥ୍ୟରୁ ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଅନୁଭୂତ ହୋଇଛି।

ଗତ ୨୪ ଘଣ୍ଟାରେ ଖୋରଧା ଜିଲ୍ଲାରେ ମୋଟ ୬୧୪.୩ ମି.ମି. ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୪୩.୮୮ ମି.ମି. ରହିଛି। ଟାଙ୍ଗୀରେ ସର୍ବାଧିକ ୭୮ ମି.ମି. ବର୍ଷା ହୋଇଥିବାବେଳେ ବୋଲଗଡ଼ରେ ତୁଳନାତ୍ମକ ଭାବେ କମ୍ ୧୯ ମି.ମି. ବର୍ଷା ହୋଇଛି। ଏପଟେ ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ପରିବର୍ତ୍ତନ ସହ ପାଣିପାଗରେ ଶୀତଳତା ଅନୁଭୂତ ହୋଇଛି। ସାମଗ୍ରିକ ଭାବେ ଖୋରଧା ଜିଲ୍ଲାରେ ଲଘୁଚାପଜନିତ ବର୍ଷାର ପ୍ରଭାବ ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ଚାଷ ପାଇଁ ବର୍ଷା ଉପକାରୀ ହେବାର ଆଶା ରହିଥିବାବେଳେ ଅନ୍ୟପଟେ ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଚିନ୍ତା ବଢ଼ାଇଛି। ଏହି ଗଭୀର ଅବପାତ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟନମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ -ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।






