ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୨୪/୯/୨୬:
୩ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିବା ଯୋଗୁଁ ବଡ଼ସାହି ନିକଟ ଅଂଚଳରେ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୯୪ ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ ଗୋପବନ୍ଧୁ ନଗରର ଜୟପୁର ପଞ୍ଚାୟତରେ ଯଇଦା-କଇଁସାରୀ ନିକଟରେ ପ୍ରବାହିତ ଦେଓ ନଦୀର ଜାମୁଘାଟ ଠାରେ ଜଳବୃଦ୍ଧି ହୋଇ ପ୍ରବାହିତ ହୋଇଛି । ଫଳରେ ଉଦଳା ରୁ ଜୟପୁର ଦେଇ ବାଲେଶ୍ଵର ଓ ବୈଶିଙ୍ଗା କୁ ସଂଯୋଗ କରୁଥିବା ରାସ୍ତା ଦେଇ ଯୋଗାଯୋଗ ଠପ୍ ହୋଇ ପଡିଛି । ଉପର ମୁଣ୍ଡରେ ମଙ୍ଗଳବାର ରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ବୁଧବାର ସନ୍ଧ୍ୟା ବେଳକୁ ନିର୍ମିତ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ତେବେ ବନ୍ୟାଜଳ ଧୀରେ ଧୀରେ ବଢିବା ଯୋଗୁଁ ନଦୀ କୂଳିଆ ଲୋକେ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜଳସ୍ତର ବୃଦ୍ଧି ଯୋଗୁଁ ବୁଧବାର ଦିନ ସନ୍ଧ୍ୟାରେ ଅସ୍ଥାୟୀ ପୋଲ ଉପରେ ଯାନବାହାନ ଗୁଡିକ ଯାଇ ନପାରି ବୁଲାରାସ୍ତାରେ ୧୫ କିଲୋମିଟର ଦୂର କହ୍ନେଇବନ୍ଦ ହୋଇ ଉଦଳା କୁ ଯିବାକୁ ପଡୁଛି । ପୁଣି ଏହି ରାସ୍ତା ଦେଇ ବସ୍ ଟ୍ରକ୍ ପ୍ରଭୃତି ଯାନବାହାନ ଆସି ନପାରି ଅଟକି ରହିଛି । ବନ୍ୟା ଜଳ ମାଡି ରହିବା ଓ ଯୋଗାଯୋଗ ବିଛିନ୍ନ ହେବା ଯୋଗୁଁ ଗୋପବନ୍ଧୁ ନଗରର ଜୟପୁର, ସାଇଁକୁଳା, ବରଡିହି, କୁଶଳଦା, କୁଆମରା, ଆରପଟା, ପୁରୁଣା ବାରିପଦା ପ୍ରଭୃତି ପଞ୍ଚାୟତର ଜନସାଧାରଣ ବିଶେଷ ପ୍ରଭାବିତ ହୋଇଛନ୍ତି । ତେବେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଏହି ଅସ୍ଥାୟୀ ପୋଲ ଟି ଧୋଇ ଯାଇଥିବା ନେଇ ଆଶଙ୍କା କରାଯାଉଛି । ଆଜି ବର୍ଷା ଅଳ୍ପ କମିବା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ପାଣି କମିବାରେ ଲାଗିଛି ।

ସୂଚନା ଥାଉକି କୁଆମରା, ମାଣତ୍ରୀ, ବେତନଟୀ, ବୈଶିଙ୍ଗା, ବାଲେଶ୍ବର ଆଦିରୁ ଏହି ରାସ୍ତା ଦେଇ ଉଦଳା, କପ୍ତିପଦା, ଠାକୁରମୁଣ୍ଡା ଆଦି ସ୍ଥାନକୁ ଯିବାଆସିବା ରାସ୍ତା କମ ପଡ଼ୁଥିବାରୁ ଏହି ଦେଇ ରାସ୍ତା ଯାତାୟାତ ସୁବିଧା ପାଇଁ ପ୍ରାୟତଃ ରାସ୍ତାଟି ବ୍ୟସ୍ତବହୁଳ ଥାଏ । ରାସ୍ତା୨୦୨୩ ମସିହାରୁ ସଂପ୍ରତି ଏହି ନଦୀ ପାଇଁ ଏଭଳି ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଗୁରୁତ୍ବ ଦେବା ଭଳି ଲାଗୁ ନାହିଁ । ୨୦୨୪ ରେ ନୂତନ ପୋଲ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଓ ଦାୟିତ୍ୱ ହୀନତା କାର୍ଯ୍ୟ ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । କାର୍ଯ୍ୟ ଫକକ ଅନୁସାରେ ୭ କୋଟି ୫୪ ଲକ୍ଷ ୩୫ ହଜାର ଟଙ୍କା ଅଟକଳ ବ୍ୟୟରେ ୨୦୨୪ ମସିହା ଜାନୁଆରୀ ମାସରେ କାର୍ଯ୍ୟ ଆରମ୍ଭ କରି ୨୪ ମାସ ବା ୨ବର୍ଷ ଅର୍ଥାତ ଚଳିତବର୍ଷ ୨୦୨୬ ଜାନୁଆରୀ ମାସରେ କାର୍ଯ୍ୟ ଶେଷ କରିବାର ଅବଧି ଥିବା ବେଳେ ୮ମାସ ପାରେଇ ଥିଲେ ମଧ୍ୟ କାର୍ଯ୍ୟ ସରିନଥିବା ଯୋଗୁଁ ଅଞ୍ଚଳବାସୀ ଖୁବ ହଇରାଣ ହେଉଛନ୍ତି l ବିଭାଗ ଓ ପ୍ରଶାସନୀୟ ଅବହେଳାକୁ ଅଞ୍ଚଳବାସୀ ଦାୟୀ କରୁଥିବା ସମୟରେ ସାଧାରଣ ଲୋକଙ୍କ ଅସୁବିଧାର ଶିଘ୍ର ସମାଧାନ ନେଇ ଜନ ସାଧାରଣଙ୍କ ଦୁର୍ଦ୍ଦଶାକୁ ଦୀର୍ଘଦିନ ଧରି ଅଣଦେଖା କରିବାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି । ପୋଲ ନିର୍ମାଣ କାର୍ଯ୍ୟ ବର୍ଷେ ମଧ୍ୟରେ ସରିବ ବୋଲି ଡବଲ ଇଞ୍ଜିନ ସରକାର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନପାରିବା ପରିତାପର ବିଷୟ । ତେବେ ପୋଲ ନିର୍ମାଣ କାର୍ଯ୍ୟରେ କାହିଁକି ଏମିତି ବିଳମ୍ବ ହେଉଛି ତଥା ନିତ୍ୟ ବ୍ୟବହାର୍ଯ୍ୟ ହଜାରହଜାର ଲୋକଙ୍କ ପୋଲ ଜନିତ ଅସୁବିଧାର ସମାଧାନ ପ୍ରତି ସରକାରଙ୍କ ଧ୍ୟାନ ଦେବେ ଏନେଇ ସାଧାରଣରେ ଚହଳ ପଡିଛି l ଯଥାଶୀଘ୍ର ଯାଆସ ସମସ୍ୟା ସମାଧାନ ନହେଲେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଆମେ ଏହାର ଦୃଢ଼ ଜବାବ ଦେବୁବୋଲି ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।






