ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ:
ଲଗାତର ବର୍ଷା ଫଳରେ ଶୁକ୍ରବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ପ୍ରବାହିତ ପ୍ରାୟତଃ ନଦୀର ଜଳସ୍ତର ବୃଦ୍ଧି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହ ଶନିବାର ସକାଳ ପର୍ଯ୍ୟନ୍ତ ମଧ୍ୟ ତଳମୁଣ୍ଡରେ ନଦୀ ଗୁଡିକର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଶନିବାର ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ତଥା ସମୁଦ୍ର ଜୁଆରିଆ ରହିବା ଯୋଗୁଁ ଜଳସ୍ତର ଶିଘ୍ର କମିବ ନାହିଁ ବୋଲି ନଦୀକଡ଼ ବାସିନ୍ଦା ଚିନ୍ତାଗ୍ରସ୍ତ ରହିଛନ୍ତି । ପୁଣି ଆଜି ମଧ୍ୟ ବର୍ଷା ସୂଚନା ରହିବା ଏବଂ କେତେକ ଅଞ୍ଚଳରେ ସକାଳୁ ବର୍ଷା ହେଉଥିବାରୁ ପରିସ୍ଥିତି ନେଇ ପ୍ରଶାସନ ସଜାଗ ରହିଛି । ଶନିବାର ମଧ୍ୟ ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା, କପ୍ତିପଦା, ଉଦଳା, ଗୋପବନ୍ଧୁନଗର, ଖୁଣ୍ଟା, ବଡ଼ସାହି ଓ ବେତନଟୀ ବ୍ଲକର ସମସ୍ତ ସ୍କୁଲ(୧ମରୁ ଦ୍ବାଦଶ ଶ୍ରେଣୀ) ବନ୍ଦ କରାଯାଇଛି ।

ଖବର ଅନୁଯାୟୀ ଗୁରୁବାର ଲଗାଣ ବର୍ଷା ଫଳରେ ଶୁକ୍ରବାର ସକାଳ ପାଖରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ, ନାଲୁହା, ଗଙ୍ଗାହାର, ଦେଓ, ପଳପଳା, ସୋନ, ଖଡ଼ଖାଇ, ଜମ୍ଭୀରା, ଶାଳନ୍ଦୀ ପ୍ରଭୃତିରେ ପ୍ରଖର ଜଳବୃଦ୍ଧି ଘଟିଥିଲା । ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଯୋଗୁଁ ଗଛ ମଧ୍ୟ ଗାଡିଯାଇ ରାସ୍ତା ଅବରୋଧ କରିଥିଲା । କେତେକଙ୍କ ଘରକାନ୍ଥ ଗଡି ଗୃହପାଳିତ ପଶୁଙ୍କ ଜୀବନହାନୀ ବ୍ୟତୀତ ଘରକାନ୍ଥ ଗଡ଼ି ଦୁଇଜଣଙ୍କ ଜୀବନ ହାନୀ ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନ ତରଫରୁ ଶୁକ୍ରବାର ବିପଦ ସଂକୁଳ ରାସ୍ତାରେ ଯିବାଆସିବା ମଧ୍ୟ ବନ୍ଦ କରାଯାଇଥିବା ଦେଖାଯାଇଥିଲା । ତଥାପି ଏକ କାର ସହ ଦୁଇଜଣ ହଠାତ ଜଳସ୍ରୋତରେ ଭାସିଯାଉଥିବା ସମୟରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଦେଓନଦୀରେ ବନ୍ୟାଜଳ ହଠାତ ବୃଦ୍ଧି ପାଇ ଦୁଗୁଧା ନିକଟ ଅଞ୍ଚଳରେ ବ୍ୟାପକ କ୍ଷତି ଓ ପ୍ରଭାବିତ କରିଛି । ସେହିଭଳି ଖୁଣ୍ଟା ଅଂଚଳରେ ଏକ ବିଦ୍ୟାଳୟରୁ ୨୫୦ଜଣ ଛାତ୍ରଛାତ୍ରୀଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ନଦୀକଡ଼ ବାସୀଙ୍କ ଘର ଜଳଘେର ମଧ୍ୟରେ ରହିଛି ଓ ଅନେକଙ୍କ ମାଟିକାନ୍ଥ ଗାଡିଯାଇଛି । ଶୁକ୍ରବାର ଠାରୁ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଓ ରିଲିଫ କେନ୍ଦ୍ର କରାଯାଇ ପ୍ରଭାବିତ ବନ୍ୟାଞ୍ଚଳ ବାସୀଙ୍କୁ ସ୍ଥାନାନ୍ତର କରିବା ସହ ଖାଦ୍ୟ ଯୋଗାଯାଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉଛି ଓ ଗୃହାପାଳିତ ପଶୁଙ୍କୁ ମଧ୍ୟ ଧ୍ୟାନ ରଖାଯାଇଛି । ଗତ ଦୁଇମାସ ମଧ୍ୟରେ ୪ର୍ଥ ଥର ବନ୍ୟା ପାଇଁ ବ୍ୟାପକ ଫସଲ ଓ ଧାନ ଚାଷରେ ହୋଇଥିବା କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି ବୋଲି ସେମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ପୁଣି ନଦୀବନ୍ଧ ଗୁଡ଼ିକର ଗେଟ ଖୋଲିବା ଭୟ ସଭିଙ୍କ ମନରେ ଭୟ ସଂଚାର କରିଛି । ତେବେ ଚଳିତ ଶୁକ୍ରବାର ବନ୍ୟାରେ ତମାମ ଜିଲ୍ଲା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ରେକର୍ଡ କରିଥିବା ଜଣାପଡିଛି ।

ବଡ଼ସାହି ବ୍ଲକ ଅଧୀନସ୍ଥ ଭୀମଦା, ଛେଳିଆ, ମାନଗୋବିନ୍ଦ ପୁର, ଶାଳଗାଁ ଭଳି ପଞ୍ଚାୟତର ଗାଁ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଥିବା ସମୟରେ ବଡ଼ସାହି ତହସିଲଦାର ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲିବା ସହ ଗ୍ରୁପ ମାଧ୍ୟମରେ ସୂଚନା ଦେବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଗତ କିଛିଦିନ ଧରି ଓ ଶୁକ୍ରବାର ଦୀର୍ଘ ସମୟ ଧରି ଅଘୋଷିତ ବିଦ୍ୟୁତ କାଟକୁ ନେଇ ମାଣତ୍ରୀଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରିବା ପରେ ପ୍ରଶାସନିକ ହସ୍ତକ୍ଷେପ ପରେ ଉପୋଭକ୍ତା ସମୂହ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି । ତେବେ ପୂର୍ଣ୍ଣିମା ପକ୍ଷ ଓ ଆକାଶ ମେଘାଚ୍ଛନ୍ନ ସହ ସ୍ଥାନେସ୍ଥାନେ ଜୋର ବର୍ଷା ଜାରି ରହିଛି । ଉପରମୁଣ୍ଡରେ ଜୋର ବର୍ଷା ଲାଗିରହିଲେ ଜଳସ୍ତର କମିବା ବଦଳରେ ଖୁବ ବିପଦ ଆସିବ । ଏନେଇ ସମସ୍ତ ସଜାଗ ଓ ବନ୍ଦୋବସ୍ତ ରହିଥିବା ସତ୍ତ୍ୱେ ବଡ଼ବନ୍ୟା ସମ୍ଭାବନା ନେଇ ନଦୀତଳ ମୁଣ୍ଡ ଅଞ୍ଚଳରେ ଆତଙ୍କିତ ରହିଥିବା ଜଣାପଡିଛି ।






