ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ

ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ – ସମୀକ୍ଷା ଖବର

ପୁବୁସାହି, ଜାଗୁଳେଇ ପାଟଣା, ଶରଧାପୁର ରେ ଯାତାୟାତ ବିପର୍ଯ୍ୟସ୍ତ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ତୀବ୍ର ଜନଅସନ୍ତୋଷ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୨୬ ସେପ୍ଟେମ୍ବର : ଟୋଲ୍‌ ଆଦାୟରେ ତତ୍ପରତା, କିନ୍ତୁ ରାସ୍ତାର ରକ୍ଷଣାବେକ୍ଷଣ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା! ଯାତାୟାତର ସୁଗମତା ଓ ସୁରକ୍ଷିତ ଯାତ୍ରାର ପ୍ରତିଶ୍ରୁତି ଦେଇ ଟୋଲ୍‌ ଆଦାୟ କରାଯାଉଥିବାବେଳେ ଅନ୍ୟପଟେ ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ରାସ୍ତା ଉପରେ ଜମି ରହିଥିବା ପାଣି ମଧ୍ୟରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଶହ ଶହ ଯାତ୍ରୀ। କେଉଁଠି ଦୁଇଚକିଆ ଯାନ ଚାଳକମାନେ ଭାରସାମ୍ୟ ହରାଇବାର ଆଶଙ୍କାରେ ଧୀରେ ଧୀରେ ଗାଡ଼ି ଚଳାଉଛନ୍ତି ତ ଆଉ କେଉଁଠି କାର୍‌, ବସ୍‌ ଓ ମାଲବାହୀ ଯାନ ପାଣି ଭିତରେ ଗତି କରିବାକୁ ବାଧ୍ୟ ହେଉଛି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁବୁସାହି, ଜାଗୁଳେଇପାଟଣା ଓ ସରଧାପୁର ଅଞ୍ଚଳରେ। ରାଜପଥର ଏପରି ଦୁରବସ୍ଥା ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଥିବାବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆବଶ୍ୟକ ତତ୍ପରତା ଦେଖାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଓ ନିୟମିତ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କ୍ରମଶଃ ତୀବ୍ର ହେବାରେ ଲାଗିଛି।
ଖୋରଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ମାଧ୍ୟମ ହେଉଛି ୫୭ ନମ୍ବର ଜାତୀୟ ରାଜପଥ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଦୁଇଚକିଆ ଯାନ, କାର୍‌, ଯାତ୍ରୀବାହୀ ବସ୍‌ ଓ ମାଲବାହୀ ଟ୍ରକ୍‌ ଯାତାୟାତ କରିଥାଏ। ଖୋରଧା ସହର ସମେତ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଯାତାୟାତ, ବ୍ୟବସାୟିକ କାରବାର ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଏହି ରାଜପଥର ଗୁରୁତ୍ୱ ଅନେକ। କିନ୍ତୁ ବର୍ଷାଋତୁ ଆସିଲେ ଏହି ରାଜପଥର କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଯାତ୍ରୀଙ୍କ ପାଇଁ ଦୁର୍ଭୋଗର କାରଣ ପାଲଟୁଛି। ବିଶେଷକରି ପୁବୁସାହି, ଜାଗୁଳେଇପାଟଣା ଓ ଶରଧାପୁର ନିକଟରେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ସାଧାରଣ ଯାତାୟାତ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ୁଛି।


ସାଧାରଣତଃ ବର୍ଷାଜଳର ସୁଗମ ନିଷ୍କାସନ ପାଇଁ ରାଜପଥ ପାର୍ଶ୍ୱରେ ଡ୍ରେନ୍‌ ଓ ଆବଶ୍ୟକ ଜଳ ନିଷ୍କାସନ ବ୍ୟବସ୍ଥା ରହିବା ଜରୁରୀ। କିନ୍ତୁ ଉକ୍ତ ଅଞ୍ଚଳଗୁଡ଼ିକରେ ବର୍ଷାଜଳ ରାସ୍ତା ଉପରେ ଜମି ରହିବା ଘଟଣା ଜଳ ନିଷ୍କାସନ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି। ରାସ୍ତା ଉପରେ ଏତେ ପରିମାଣର ପାଣି ଜମି ରହିବା ପଛରେ ଡ୍ରେନ୍‌ର ଅଭାବ, ଜଳ ନିଷ୍କାସନ ପଥରେ ବାଧା କିମ୍ବା ରାସ୍ତାର ଢାଲୁ ବ୍ୟବସ୍ଥାରେ ତ୍ରୁଟି ରହିଛି କି ନାହିଁ, ତାହାର ଯାଞ୍ଚ କରାଯିବା ଆବଶ୍ୟକ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ରାଜପଥ ଉପରେ ବର୍ଷାଜଳ ଜମି ରହିବା କେବଳ ଯାତାୟାତରେ ବାଧା ସୃଷ୍ଟି କରୁନାହିଁ, ବରଂ ଏହା ଦୁର୍ଘଟଣାର ଆଶଙ୍କାକୁ ମଧ୍ୟ ବଢ଼ାଇ ଦେଉଛି।
ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହି ପରିସ୍ଥିତି ଅଧିକ ବିପଜ୍ଜନକ। ରାସ୍ତା ଉପରେ ପାଣି ଜମି ରହିଥିବାବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଗାଡ଼ି ଯୋଗୁଁ ପାଣିର ଲହଡ଼ି ସୃଷ୍ଟି ହେଉଛି। ଏହାଦ୍ୱାରା ଚାଳକଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହେବା ସହ ରାସ୍ତାରେ ଗାଡ଼ି ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ଜରୁରୀ କାର୍ଯ୍ୟ, ଚିକିତ୍ସା, ଶିକ୍ଷା ଓ ବ୍ୟବସାୟିକ କାରବାର ପାଇଁ ଯାତାୟାତ କରୁଥିବା ଲୋକଙ୍କୁ ଏହାର ପ୍ରଭାବ ସହିବାକୁ ପଡ଼ୁଛି। ଜାତୀୟ ରାଜପଥରେ ଯାତାୟାତ ସୁଗମ ହେବା ପରିବର୍ତ୍ତେ ଯଦି ଯାତ୍ରୀଙ୍କୁ ପ୍ରତି ପଦକ୍ଷେପରେ ବିପଦ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହନଠାରୁ ଟୋଲ୍‌ ଆଦାୟ କରାଯାଉଛି। ଏହା ବଦଳରେ ଯାତ୍ରୀମାନେ ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ, ଯାତାୟାତର ସୁଗମତା ଓ ନିରାପଦ ଯାତ୍ରାର ଆଶା ରଖିଥାନ୍ତି। କିନ୍ତୁ ପୁବୁସାହି, ଜାଗୁଳେଇପାଟଣା ଓ ସରଧାପୁର ନିକଟରେ ରାସ୍ତାର ଏଭଳି ଅବସ୍ଥା ଯାତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।
ଟୋଲ୍‌ ଆଦାୟ ବ୍ୟବସ୍ଥା ଯେପରି ନିୟମିତ ଭାବେ ଚାଲୁଛି, ସେହିପରି ରାଜପଥର ରକ୍ଷଣାବେକ୍ଷଣ ଓ ଜଳ ନିଷ୍କାସନ ବ୍ୟବସ୍ଥାର ନିୟମିତ ଯାଞ୍ଚ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ବର୍ଷାଋତୁ ପୂର୍ବରୁ ଡ୍ରେନ୍‌ ସଫା କରିବା, ଜଳ ନିଷ୍କାସନ ପଥରେ ଥିବା ବାଧା ଦୂର କରିବା ଓ ରାସ୍ତାର ଦୁର୍ବଳ ଅଂଶ ମରାମତି କରିବା ଭଳି ପଦକ୍ଷେପ ନିଆଯାଇଥିଲେ ଏପରି ସ୍ଥିତିକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ମତ ପ୍ରକାଶ ପାଉଛି।
ରାଜପଥର ଏହି ସମସ୍ୟା କେବଳ ଗୋଟିଏ ଦିନର ନୁହେଁ, ବରଂ ବର୍ଷାଜନିତ ଜଳବନ୍ଦୀ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ଦୀର୍ଘକାଳୀନ ସମାଧାନର ଆବଶ୍ୟକତା ରହିଛି। କିନ୍ତୁ ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ୁଛି। ଜାତୀୟ ରାଜପଥରେ ଦୁର୍ଘଟଣା ଘଟିବା ପରେ ତଦନ୍ତ ଓ ପଦକ୍ଷେପ ନେବା ଅପେକ୍ଷା ଦୁର୍ଘଟଣା ରୋକିବା ପାଇଁ ପୂର୍ବରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବା ଅଧିକ ଜରୁରୀ ବୋଲି ମତ ପ୍ରକାଶ ପାଉଛି।
ପୁବୁସାହି, ଜାଗୁଳେଇପାଟଣା ଓ ସରଧାପୁର ନିକଟରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ – ସମୀକ୍ଷା

ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା କୌଣସି ପରିସ୍ଥିତିରେ ଅବହେଳିତ ହେବା ଉଚିତ ନୁହେଁ। ଟୋଲ୍‌ ଆଦାୟ ସହିତ ରାସ୍ତାର ରକ୍ଷଣାବେକ୍ଷଣ ଓ ଯାତ୍ରୀଙ୍କ ସୁବିଧାକୁ ସମାନ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
ରାସ୍ତାର ଏଭଳି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ଦୁର୍ଘଟଣା ଆଶଙ୍କା ସହ ଜନଅସନ୍ତୋଷ ଆହୁରି ବଢ଼ିବା ସ୍ୱାଭାବିକ। ତେଣୁ ଟୋଲ୍‌ ଆଦାୟରେ ସୀମିତ ନରହି ରାଜପଥର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ଠୋସ୍‌ ପଦକ୍ଷେପ ନେବା ଜରୁରୀ। ଜନସାଧାରଣଙ୍କ ଦାବି—ଟୋଲ୍‌ ଆଦାୟ ସହ ରାଜପଥର ରକ୍ଷଣାବେକ୍ଷଣ ଓ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରାଯାଉ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବନ୍ଧୁକ ମୁନରେ ସାଧନା ଜୁଏଲେରିରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ