ଭଦ୍ରକ/ ସମୀକ୍ଷା ନିଉଜ:
ଅସୁରାଳି ତା 26/9/26: ଦୁଇ ମାସ ମଧ୍ୟରେ ନବମ ଥର ପାଇଁ ବନ୍ୟାର ସାମ୍ନା କରୁଛି ଧାମନଗର ବ୍ଲକ। 30 ଗୋଟି ପଂଚାୟତ ଓ ଦୁଇ ଏନ ଏ ସି ରେ ବୈତରଣୀ କୋଚିଳା ରେବ, କପାଳୀ, ଗେଙ୍ଗୁଟି ଓ ନାଳିଆ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାରମ୍ବାର ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆରଡି ଛକରୁ ଆଖଣ୍ଡଳମଣି ଯାଉଥିବା ଆରଡି ମୁଖ୍ୟ ରାସ୍ତା ୩୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବନ୍ୟାଜଳ ରାସ୍ତା ଉପରେ ଚାଲୁ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।
ଅନ୍ୟପକ୍ଷରେ ଅସୁରାଳୀ ବିଦ୍ୟୁତ୍ ଷ୍ଟ୍ରକ୍ଚର ଷ୍ଟେସନ୍ରେ ବନ୍ୟାଜଳ ପଶିଯିବାରୁ ଶୁକ୍ରବାର ରାତି ପ୍ରାୟ ୧୨ଟାରୁ ବିଦ୍ୟୁତ୍ କଟିଯାଇଛି । ଦୀର୍ଘ ସମୟ ଧରି ବିଦ୍ୟୁତ୍ ନଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାରେ ପଡ଼ିଛନ୍ତି। ବନ୍ୟା ପ୍ରଭାବରେ ଧୂଷୁରୀ, ହସନାବାଦ ଅର୍ଜୁନପୁର , ପ୍ରଧାନୀ, ନଦୀଗାଁ ସମେତ ବହୁ ବିଶେଷ ଭାବେ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ଘର ଭିତରକୁ ଏକ ତାଲା ପର୍ଯ୍ୟନ୍ତ ପାଣି ପଶିଥିବା ଜଣାପଡିଛି ! ନାଳିଆ ନଦୀର ଆଙ୍କପଦା ନିକଟ ରେ ନଦୀରେ ଘାଇ ହୋଇଛି । ଏହାର ପ୍ରଭାବରେ ଧାମନଗର ବ୍ଲକର ଖପରାପଦା, କଟସାହି କାଶୀମିପୁର ପଞ୍ଚାୟତରେ ବନ୍ୟାଜଳ ଅଧିକ ମାତ୍ରାରେ ମାଡ଼ିଯିବା ଆଶଙ୍କା ଦେଖାଦେଇଛି

ଲଗାତାର ବନ୍ୟା ଚାଷୀଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଦୁଇ ମାସ ମଧ୍ୟରେ ବାରମ୍ବାର ବନ୍ୟା ଆସିବାରୁ ଚାଷଜମିରେ ଲଗାଯାଇଥିବା ଫସଲ ନଷ୍ଟ ହେବାରେ ଲାଗିଛି। ପୂର୍ବ ବନ୍ୟାରେ ବହୁ ଚାଷୀଙ୍କ ଫସଲ ଧୋଇଯାଇଥିବା ବେଳେ କଷ୍ଟରେ ବଞ୍ଚାଇ ରଖିଥିବା ଅଳ୍ପ କିଛି ଫସଲ ଏବେ ପୁଣି ବନ୍ୟାଜଳରେ ବୁଡ଼ିଯିବା ଆଶଙ୍କା ଦେଖାଦେଇଛି। ବାରମ୍ବାର ବନ୍ୟା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍, ଖାଦ୍ୟ, ପାନୀୟଜଳ ଓ ଆବଶ୍ୟକ ସହାୟତା ଯୋଗାଇବା ସହ ବିଦ୍ୟୁତ୍ ଓ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।





