ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ

ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ :

ମୟୂରଭଞ୍ଜ/ ସମୀକ୍ଷା ନ୍ୟୁଜ: ୫/୧୦/୨୬ – ଯଶୀପୁରର କୁମ୍ଭୀର ପ୍ରକଳ୍ପ ଓ ପୋଷାବାଘୁଣୀ ‘ଖଇରୀ’ ମୟୂରଭଞ୍ଜ ଓ ଶିମିଳିପାଳକୁ ଦେଶ-ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଶୀତୁଆ ସକାଳ ଅକ୍ଟୋବର ୫, ୧୯୭୪ରେ ଖଡ଼ିଆ ସମ୍ପ୍ରଦାୟର ଲୋକମାନେ ଜେନାବିଲ ରେଞ୍ଜର ଖଇରୀ-ଭଣ୍ଡନ ନଦୀକୂଳରୁ ଏହି ବାଘ ଶାବକକୁ ଉଦ୍ଧାର କରି ଯଶୀପୁର ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ତା’ପରେ ଖଇରୀ ହୋଇଥିଲା ଶିମିଳିପାଳର ଏକ ନିଆରା ପରିଚୟ । ଜଶିପୁର ରୁ କରଞ୍ଜିଆ ବା କେନ୍ଦୁଝର ଯାଇଥିବା ରାସ୍ତା କଡ଼କୁ ରହିଥିବା ଏହି ବାଘୁଣୀକୁ ଦେଖିବା ପାଇଁ ସେହି ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀଙ୍କ ପାଦ କିଛି ସମୟ ପାଇଁ ଶାଳ ଜଙ୍ଗଲ ଘେରା ତାରଜାଲି ଆବଦ୍ଧ ଜଙ୍ଗଲ ପରିବେଶରେ ଖୋଲା ବିଚରଣ କରୁଥିବା ବାଘୁଣୀ ଖଇରୀର ଦର୍ଶନ ପାଇଁ ଅଟକି ଯାଉଥିଲା । ବାଘ ମାଆ କୋଳରେ ଜନ୍ମ ନେଇ ମଣିଷ ମାଆଙ୍କ ସ୍ନେହରେ ବଢ଼ିଥିବା ଖଇରୀର କାହାଣୀ ଆଜି ମଧ୍ୟ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଥିବା ଅଦ୍ଭୁତ ସ୍ନେହ ଓ ବିଶ୍ୱାସର ଏକ ଅନନ୍ୟ କାହାଣୀ । ଆଜି ସେହି ଖଇରୀ ଜନ୍ମଦିନ ।

ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ – ସମୀକ୍ଷା

ଖଇରୀ ମିଳିବା ପରେ ତତ୍କାଳୀନ ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ସରୋଜ ରାଜ ଚୌଧୁରୀଙ୍କ ତତ୍ୱାବଧାନରେ ସେ ଖଇରୀକୁ ନିଜ ସନ୍ତାନ ଭଳି ଆପଣେଇ ଥିଲେ । ଖଇରୀଭଣ୍ଡନ ନଦୀ କୂଳରୁ ଏହାକୁ ପାଇଥିବାରୁ ତା ନାଁ ରଖାଗଲା ଖଇରୀ । ଶ୍ରୀଯୁକ୍ତ ଚୌଧୁରୀଙ୍କ ପତ୍ନୀ ନିହାର ନଳିନୀ ଦେବୀ ତା ମା’ ପରି ଖଇରୀର ଲାଳନପାଳନ ଦାୟିତ୍ୱ ନେଇଥିଲେ । ବୋତଲରେ ଛୁଆ ଖଇରୀକୁ ଖୁଆଇ ବଡ ହେବା ପର୍ଯ୍ୟନ୍ତ ତାକୁ ପରିବାର ସଦସ୍ୟ ଭଳି ଦେଖିଲେ । କେବେ ଜଞ୍ଜିରରେ ବନ୍ଧା ଯାଇନଥିବା ବାଘୁଣୀ ଖଇରୀ ମଣିଷ ସହ ହିଂସ୍ର ବନ୍ୟପ୍ରାଣୀ ବାଘର ଏକ ନିଆରା ସମ୍ପର୍କର ପ୍ରମାଣ ଦେଇଥିଲା । ଏମିତିକି ପରିସର ଭିତର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଖାକି ପୋଷାକ ଧାରୀ କର୍ମଚାରୀଙ୍କ ପ୍ରତି ମଧ୍ୟ ଖାଇରୀର ସମ୍ମାନ ଥିଲା ନିଆରା । ଖଇରୀ ଆ ଡାକିଲେ ସେ ପାଖକୁ ପଳେଇ ଆସୁଥିଲା । ସବୁକିଛି ଠିକାଠକ ଚାଲିଥିବା ସମୟରେ ଏକ ବୁଲା କୁକୁର ଖଇରୀକୁ କାମୁଡି ଦେବାରୁ ତାକୁ ଜଳାନ୍ତକ ରୋଗ ହୋଇଗଲା । ରୋଗ ପ୍ରଭାବରେ ଶାନ୍ତ ଖଇରୀ ଅସାଧାରଣ ସ୍ଵଭାଵ ଦେଖାଇ ବନ କର୍ମଚାରୀଙ୍କୁ ଆକ୍ରମଣ କଲା । ତାକୁ କାବୁ କରିବାକୁ ନିସ୍ତେଜକ ଇଞ୍ଜେକ୍ସନ ଦିଆଗଲା । ପ୍ରଥମ ଇଞ୍ଜେକ୍ସନ କାମ ନଦେବାରୁ ପୁଣି ଦ୍ୱିତୀୟ ଥର ଦିଆଗଲା । ମାତ୍ର ଦ୍ଵିତୀୟ ନିସ୍ତେଜକ ଇଞ୍ଜେକ୍ସନ ମାତ୍ରାଧିକ ହୋଇଯିବାରୁ ଖଇରୀ ମୃତ୍ୟୁ ମୁଖକୁ ଚାଲିଗଲା ବୋଲି କୁହାଯାଏ । ମାର୍ଚ୍ଚ ୨୮, ୧୯୮୧ ରେ ଖଇରୀ ମୃତ୍ୟୁ ଘଟଣା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଥିଲା ଖୁବ ଦୁଃଖଦ ଘଟଣା । ସମ୍ବୋଧିତ ଖଇରୀ ବାପା ପଦ୍ମଶ୍ରୀ ଶ୍ରୀଯୁକ୍ତ ଚୌଧୁରୀ ମଧ୍ୟ ଖଇରୀ ଯିବାର ଅଳ୍ପଦିନ ପରେ ଆରପାରିକୁ ଚାଲିଗଲେ । ଉଭୟଙ୍କ ଆତ୍ମା ସେଇ ପରିବେଶରେ ଏବେ ମଧ୍ୟ ଘୁରି ବୁଲୁଥାଏ ବୋଲି ନିକଟାବାସୀଙ୍କ ଆଲୋଚନାରୁ ଜଣାପଡେ । ତାର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ସମାଧି ପ୍ରତିଷ୍ଠା ହୋଇଛି ଓ ଏକ ସଂଗ୍ରହାଳୟ ରହିଛି । ଏବେ ଖଇରୀକୁ ଦେଖିବାକୁ ମିଳୁନି ସତ, ମାତ୍ର ତା ସହ ଜଡିତ ମୟୂରଭଞ୍ଜିଆଙ୍କ ହୃଦୟରେ ସେ ଏବେବି ଜୀଇଁଛି ।

ଆଜି ବିଶ୍ୱ ପ୍ରସିଦ୍ଧ ବାଘୁଣୀ ଖଇରୀ ଜନ୍ମଦିନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭’ର ଶୁଭାରମ୍ଭ: ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୦ ଜଣ ବରିଷ୍ଠ ନାଗରିକ କଲେ ଯାତ୍ରା