ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ୫/୧୦/୨୬ (ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ଷ୍ଟେସନପଡ଼ାର ବରିଷ୍ଠ ଆଇନଜୀବୀ ଜୟଦୀପ ପୁରୋହିତ (୬୫) ସୋମବାର ଭୋର ସକାଳେ ପରଲୋକ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଅସୁସ୍ଥତା ହେତୁ ମୁରିବାହାଲରୁ ଟିଟିଲାଗଡ଼ ବହିଦାରପଡ଼ାରେ ରହୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ଇନାକ୍ଷୀ ମିଶ୍ର, ଦୁଇ ପୁଅ ଅଭିଷେକ ଓ ଅନୁରାଗ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସେ ମୁରିବାହାଲ କୋର୍ଟ ଖୋଲିବା ଦିନଠାରୁ ଓକିଲାତି କରି ଆସୁଥିଲେ। ପୂର୍ବରୁ ମୁରିବାହାଲ ଓକିଲ ସଙ୍ଘ ସଭାପତି, ରାଧାକୃଷ୍ଣ ମନ୍ଦିର ଉପଦେଷ୍ଟା, ସାମ୍ବାଦିକ ସଙ୍ଘ ଏବଂ ପ୍ରେସ କ୍ଲବ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସ୍ପଷ୍ଟବାଦୀ, ଅମାୟିକ, ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ସୁପରିଚିତ ଥିଲେ।

ତାଙ୍କ ଶବଯାତ୍ରାରେ ପରିବାର, ଜ୍ଞାତିକୁଟୁମ୍ବ, ଆଇନଜୀବୀ, ସର୍ବସାଧାରଣ ଓ ମୁରିବାହାଲ ଗ୍ରାମବାସୀ ସାମିଲ ହୋଇଥିଲେ। ଟିଟିଲାଗଡ଼ ହାଟପଦା ସ୍ଥିତ ସ୍ୱର୍ଗଦ୍ୱାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ଅଭିଷେକ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




