ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ । ଶିଶୁ ବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ନଅଟି ଶ୍ରେଣୀ ରହିଥିବା ଏହି ବିଦ୍ୟାଳୟରେ ୫୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପାଠ ପଢାଇବା କୁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ତେବେ ନଅ ଗୋଟି ଶ୍ରେଣି କୁ ଶିକ୍ଷକ ନ ଥିବାରୁ ଗୋଟିଏ ଶ୍ରେଣି ଗୃହରେ ଦୁଇରୁ ତିନୋଟି ଶ୍ରେଣିର ପିଲା ବସିବାକୁ ବାଧ୍ୟ ହେଉଛନ୍ତି । ଜଣେ ଶିକ୍ଷକ ଦୁଇଟି ଶ୍ରେଣୀରେ ଏକା ସମୟରେ ପାଠ ପଢାଉଛନ୍ତି ।ଏନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ଗାଇସିଲେଟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହା କର୍ଣ୍ଣପାତ ନ କରିବାରୁ ଗାଇସିଲେଟ ଜନଶୁଣାଣୀ ଅଭିଯୋଗରେ ଜିଲ୍ଲାପାଳଙ୍କୁ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି । କିନ୍ତୁ କିଛି ଲାଭ ପାଇ ନ ପାରିବାରୁ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକ ମାନେ ଅନ୍ୟ ସ୍କୁଲକୁ ପଠାଇବା ପାଇଁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଏହି ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଥିବା ବେଳେ ବର୍ତମାନ ତାହା ୫୪ କୁ ଖସି ସାରିଲାଣି ଯଦି ଏଭଳି ପରିସ୍ଥିତି ରୁହେ ତେବେ ଆଗାମୀ ଦିନରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ିଦେବେ ବୋଲି ଅଭିଭାବକ ମାନେ ପ୍ରକାଶ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହିବା ନେଇ ନିୟମ ଅଛି । କିନ୍ତୁ ଏଠାରେ ଏଭଳି କ’ଣ ପାଇଁ ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ସ୍କୁଲ ରେ ତାଲା ଦେଇ ସ୍କୁଲ ବାହାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବାର ଦେଖିବାକୁ ମିଳିଥିଲା । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାଧବ ବରିହା ଘଟଣା ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି । ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଇତି ମଧ୍ୟରେ ସ୍କୁଲ ଛୁଟି ହେବା ସମୟ ବିତିଯାଇଥିଲେ ସୁଦ୍ଧା ସ୍କୁଲରେ ପହଞ୍ଚିଁ ନ ଥିଲେ ଶିକ୍ଷା ବିଭାଗର କୌଣସି ଅଧିକାରୀ । ଏପଟେ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ଅନୁଯାଇ ଶିକ୍ଷକ ଯୋଗାଇ ନଦେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।






