ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ :
କଟକ, ୮/୧୦/୨୦୨୬: ଯକ୍ଷ୍ମା ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ‘Whole of Government’ ଓ ‘Whole of Society’ ଆଭିମୁଖ୍ୟ ସହିତ ଜନଭାଗିଦାରୀକୁ ଅଧିକ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଯୁବପିଢ଼ିଙ୍କୁ ଯକ୍ଷ୍ମା ବିରୋଧୀ ଅଭିଯାନ ସହ ଯୋଡ଼ିବା ଏବଂ ତୃଣମୂଳ ସ୍ତରରେ ସମୁଦାୟ ସଂପୃକ୍ତି ବଢ଼ାଇବା ଉଦ୍ଦେଶ୍ୟରେ JOSH (Joint Squad for Health) ଟିମ୍ର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ପ୍ରତି ଘରୁ ଜଖମ ମୁକ୍ତ ଅଭିଯାନର ଆରମ୍ଭ ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ୨୦୩୦ ମସିହା ପୂର୍ବରୁ ଆମେ ଜଖମ ମୁକ୍ତ ଭାରତ ଲକ୍ଷ୍ୟ ହାସଲ କରିପାରିବା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭିନ୍ନ ପ୍ରତିନିଧିମାନେ ଯୋଗଦେଇଥିଲେ। JOSHର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯକ୍ଷ୍ମା ସମ୍ପର୍କରେ ଜନସଚେତନତା ବୃଦ୍ଧି, ନିୟମିତ ସମୁଦାୟସ୍ତରୀୟ ସଚେତନତା ଓ ପହଞ୍ଚ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ସହିତ ତୃଣମୂଳ ସ୍ତରରେ ଯୁବଶକ୍ତିଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା। ଏହା ମାଧ୍ୟମରେ ଯକ୍ଷ୍ମା ଚିହ୍ନଟ, ପରୀକ୍ଷଣ, ଚିକିତ୍ସା ଓ ନିୟମିତ ଚିକିତ୍ସା ଅନୁସରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

କଟକ ଜିଲ୍ଲାରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଟିମ୍ ଗଠନ କରାଯାଇଛି। ସେହିପରି ସମସ୍ତ ବିଡିଓଙ୍କୁ ନେଇ ବ୍ଲକ୍ସ୍ତରୀୟ ଟିମ୍ ମଧ୍ୟ ଗଠନ କରାଯାଇଛି। ଏହି ଟିମ୍ଗୁଡ଼ିକ ମାଧ୍ୟମରେ ଗ୍ରାମ ଓ ସମୁଦାୟସ୍ତରରେ ଯକ୍ଷ୍ମା ବିରୋଧୀ ସଚେତନତା, ସ୍କ୍ରିନିଂ ଏବଂ ଚିକିତ୍ସା ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ।
ବର୍ତ୍ତମାନ କଟକ ଜିଲ୍ଲାରେ ୧୮୭୭ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ଯକ୍ଷ୍ମାଜନିତ ମୃତ୍ୟୁହାର ୪.୫ ପ୍ରତିଶତ ରହିଛି। ଏଥିସହ ୪୦୯ ଜଣ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ମିତ୍ର ଯୋଜନା ଅଧୀନରେ ସାମିଲ କରାଯାଇଛି। ଚିକିତ୍ସାଧୀନ ଯକ୍ଷ୍ମା ରୋଗୀଙ୍କୁ ପ୍ରତିମାସ ୧,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥ ରାଶି ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରାଯାଉଛି। ଯକ୍ଷ୍ମା ରୋଗର ଶୀଘ୍ର ଚିହ୍ନଟ ଓ ନିରାକରଣ ପାଇଁ କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ୧,୧୪,୩୪୩ ଜଣ ଅସୁରକ୍ଷିତ/ସମ୍ଭାବ୍ୟ ବ୍ୟକ୍ତିଙ୍କର X-ray ସ୍କ୍ରିନିଂ କରାଯାଇଛି। କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, CDM & PHO ଡା. ସୁଶାନ୍ତ ସ୍ୱାଇଁ, ADPHO (CT-RS) ଡା. ଅଶୋକ କୁମାର ଦାସ, ଡା. ନୃପେନ୍ଦ୍ର ସତପଥୀ, ହେଲ୍ଥ ଅଫିସର, ଡା. ସତ୍ୟବ୍ରତ ମହାପାତ୍ର, ADUPHO ଏବଂ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରୋଶନ କୁମାରଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।





