ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାଙ୍ଗିରିପୋଷି, ୧୦/୧୦/୨୬ – ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ସମୟରେ ବିଶୃଙ୍ଖଳା ଭଳି ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଥିବା ସମୟରେ ପୁଣି ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଯାଇଛି । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରୀଛାତ୍ର ହାତରେ ପ୍ଲାକାର୍ଡ ଧରି ଶନିବାର ରାଜରାସ୍ତାକୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରସ୍ଥ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ।

ଖାଦ୍ୟ, ପୋଷାକ, ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ଓ ପ୍ରଧାନ ଶିକ୍ଷକଙ୍କ ମନୋମୁଖୀ ଓ ଅଶୋଭନୀୟ ବ୍ୟବହାର ଭଳି ସମସ୍ୟାର ପ୍ରତିକାର ଓ ସ୍ଥାୟୀ ସମାଧାନ ଦାବିରେ ଛାତ୍ରୀଛାତ୍ର ହାତରେ ପ୍ଲାକାର୍ଡ ଧରି ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲିଚାଲି ବାହାରିଥିଲେ । ବିଦ୍ୟାର୍ଥୀଙ୍କ ଏଭଳି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ମଧ୍ୟ ସେମାନେ ଜିଦ୍ ଧରିବସିଥିଲେ । ପୁଣି ଛାତ୍ରୀଛାତ୍ର ସମୂହ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କୋଲକାତା ଛକ ନିକଟରେ ରାସ୍ତା ଅବରୋଧ କରି ଜାତୀୟ ରାଜପଥ ଉପରେ ଧାରଣାରେ ବସି ରହିଥିଲେ । ରାସ୍ତାରୋକ ସହ ନିଜ ଦାବିରେ ଅଟଳ ଯୋଗୁ ବଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା । ଘଟଣା ନେଇ ବିଭିନ୍ନ ପ୍ରଶାସନିକ ଅଧିକାରୀ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଏବଂ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତି ଓ ବୁଝାଶୁଝା ସହ ଏକ ନିର୍ଦ୍ଦିଷ୍ଟ କମିଟିର ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ । ତେବେ ଚରିତ୍ର, ଶୃଙ୍ଖଳା ଓ ସଂସ୍କାର ଭଳି ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବାରମ୍ବାର ଏଭଳି ଘଟଣା ନୀନ୍ଦନୀୟ ବୋଲି ଘଟଣାକୁ ଅଞ୍ଚଳରେ ବ୍ୟାପକ ନିନ୍ଦା କରାଯାଇଥିବା ଜଣାପଡିଛି ।





