ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ବାଲିଗୁଡା: ତା 11/10 /26 କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବନ୍ୟପ୍ରାଣୀ ଶିକାର ଓ ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ଘଟଣାରେ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା ।ବନ ବିଭାଗ ପକ୍ଷରୁ ଚିତାବାଘ ଚମଡ଼ା ଚୋରାଚାଲାଣ ଓ ବେଆଇନ ଶିକାର ଅଭିଯୋଗରେ ତିନି ଜଣ ଗିରଫ କରାଯାଇଛି l ଏଥିସହ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶରୀର ଅଂଶ ଜବତ କରାଯାଇଛି । ବନ ବିଭାଗର ସୂଚନା ଅନୁସାରେ, ବାଲିଗୁଡ଼ା ରେଞ୍ଜର ୨୦୨୬-୨୭ ବର୍ଷର OR ମାମଲା ନଂ-୪୩ର ତଦନ୍ତ ସମୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଅଭିଯୋଗ ଅନୁଯାୟୀ, ଟିକାବାଲି ଥାନା ଅନ୍ତର୍ଗତ ଲାବେଦି ଗ୍ରାମର ଅମିତାଭଚନ ପ୍ରଧାନ ଓ ତୋଫାନ ନାମକ ଦୁଇ ବ୍ୟକ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ମାଝୀଙ୍କୁ ଚିତାବାଘ ଚମଡ଼ା ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେହିପରି ଟିକାବାଲି ଥାନା ଅନ୍ତର୍ଗତ ରାଜିକାଖୋଲ ଗ୍ରାମର ଦିଗାମ୍ବର କନହର ଓରଫ ଡିମ୍ବାଙ୍କୁ ନିଜ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ବ୍ୟବହାର କରି ବେଆଇନ ଭାବେ ଚିତାବାଘ ଶିକାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି।

ତାଙ୍କ ନିକଟରେ କରାଯାଇଥିବା ପରବର୍ତ୍ତୀ ତଲାସୀ ସମୟରେ ଚାରୋଟି ଚିତାବାଘ ନଖ, ଚାରୋଟି ଦାନ୍ତ, ଶିଙ୍ଗ ଓ ଦୁଇଟି ହରିଣ ଖପୁରୀ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଶରୀରର ଅଂଶ ଜବତ କରାଯାଇଛି l ସହକାରୀ ବନ ସଂରକ୍ଷକ ତଥା ତଦନ୍ତକାରୀ ଅଧିକାରୀ ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ କରାଯାଇଥିଲା। ଏଥିରେ ବାଲିଗୁଡ଼ା ରେଞ୍ଜ ଅଧିକାରୀ ଡି. ସୁବାଷ ଚନ୍ଦ୍ର, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟ ନାରାୟଣ ମହାନ୍ତି ଓ ଟିକାବାଲିର ବନରକ୍ଷୀ ବିଜୟାନନ୍ଦ ସେଠୀଙ୍କ ସମେତ ବନ ବିଭାଗର ଏକ ଟିମ୍ ସାମିଲ ଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ରୋକିବା ପାଇଁ ବନ ବିଭାଗ ନିଜର ପ୍ରତିବଦ୍ଧତା ଦୋହରାଇଛି। ବନ୍ୟପ୍ରାଣୀ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ଅବୈଧ ବାଣିଜ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ। ଏଭଳି ଅପରାଧ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ବନ କାର୍ଯ୍ୟାଳୟକୁ ଜଣାଇବାକୁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।




