ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୩/୧୦/୨୭ – ମୟୂରଭଞ୍ଜ ମାଟିର ସନ୍ତାନ ତଥା ମୋରଡା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମର କବିଶ୍ରୀ ରାଜେନ୍ଦ୍ର ଦାସଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ମେ ଫେୟାର କନଭେନ୍ସନ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାରୋହରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମ୍ମାନ ପ୍ରାପ୍ତି ପରେ ରାଜେନ୍ଦ୍ର ଦାସଙ୍କ ବାପା ରୋହିତ କୁମାର ଦାସ ଓ ମା ମାଳତୀ ଦାସ ବେଶ ଖୁସି ଥିବା ବେଳେ ପରିବାର, ବନ୍ଧୁବର୍ଗ, ଶୁଭେଚ୍ଛୁ ଓ ମୟୂରଭଞ୍ଜବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଜଣେ କବି ଓ ଲେଖକ ଭାବେ ପରିଚିତ ରାଜେନ୍ଦ୍ର ଦାସ ଶିକ୍ଷା, ସାହିତ୍ୟ ଓ ସମାଜସେବା ପ୍ରତି ନିଜର ଆଗ୍ରହ ଯୋଗୁଁ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ଶିକ୍ଷା ଓ ସାହିତ୍ୟ ମାଧ୍ୟମରେ ସମାଜରେ ସକାରାତ୍ମକ ଚିନ୍ତାଧାରାର ପ୍ରସାର କରିବା ସହ ଯୁବପିଢ଼ିଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତ୍ୱ।

କଠିନ ପରିଶ୍ରମ, ଦୃଢ଼ ଆତ୍ମବିଶ୍ୱାସ ଓ ନିରନ୍ତର ସାଧନା ମାଧ୍ୟମରେ ସଫଳତା ହାସଲ କରାଯାଇପାରେ ବୋଲି ତାଙ୍କର ଏହି ଉପଲବ୍ଧି ପ୍ରେରଣା ଯୋଗାଇଛି। ବିଶେଷକରି ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବକଯୁବତୀଙ୍କ ପାଇଁ ଏହା ଉତ୍ସାହଜନକ ହୋଇପାରିବ। ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ତାଙ୍କ ଜୀବନରେ ଏକ ସ୍ମରଣୀୟ ଉପଲବ୍ଧି ଭାବେ ଯୋଡ଼ି ହୋଇଥିବାବେଳେ ଆଗାମୀ ଦିନରେ ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଅଧିକ ଅବଦାନ ରଖିବାକୁ ଏହା ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।





