ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୩/୧୦/୨୬ – ଶୁକ୍ରୁଳି ବ୍ଲକର ଏକ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀନିବାସର ଜଣେ ନାବାଳିକା ଅନ୍ତେବାସୀଙ୍କ ସହ ଅସଦାଚରଣ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ନିଜ ପଦବୀର ଦୁରୁପଯୋଗ କରି ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ପ୍ରଦର୍ଶନ କରିଥାନ୍ତି । ତେବେ ଘଟଣାରେ ପୀଡିତା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ, ପରିବାରବର୍ଗ ଓ ସ୍ଥାନୀୟ ଲୋକେ ରରୁଆଁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ନିକଟ ଅତୀତରେ ବୃନ୍ଦାବନଚନ୍ଦ୍ରପୁର ଓ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ସ୍କୁଲ ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ ହୀନ ଆଚରଣ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନକୁ ଅପବିତ୍ର କରିଛି, ଦୁର୍ନାମ ହୋଇଛି ଗୁରୁ ପଦବୀ । ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକି କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମ୍ୟାଟ୍ରନଙ୍କୁ କହିବା ପରେ ବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିବା ଖୁବ ଦୁଃଖଦ । ପରେ ଫୋନ ଯୋଗେ ଛାତ୍ରୀ ଜଣକ ଘରକୁ ସୂଚନା ଦେବାପରେ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାମରେ ଏକ ଲିଖିତ ଅଭିଯୋଗ କ୍ରମେ ଲୁକ୍କାୟିତ ଅବସ୍ଥାରେ ଗତକାଲି ରାତି ତାଙ୍କୁ ପୋଲିସ ବାରିପଦାରୁ ଗିରଫ କରିଛି ବୋଲି ଜାଣିବାକୁ ମିଳିଛି । ତଦନ୍ତ ଜାରି ରହିଥିବା ବେଳେ ଏଭଳି ଘଟଣାକୁ ବିଭିନ୍ନ ସ୍ତରରେ ବ୍ୟାପକ ନିନ୍ଦା କରାଯାଇଛି ।





