ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ :
ବରଗଡ଼ ସହରର ଆଧୁନିକ ଇ-ବସ୍ଷ୍ଟାଣ୍ଡରେ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସହରର ଏହି ପ୍ରମୁଖ ପରିବହନ କେନ୍ଦ୍ରରେ ନିୟମିତ ସଫେଇ ଅଭାବରୁ ଚାରିଆଡ଼େ ଆବର୍ଜନା ଜମା ହୋଇ ରହୁଥିବା ଅଭିଯୋଗ ହେଉଛି।ବସ୍ଷ୍ଟାଣ୍ଡ ପରିସରରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ ଏବଂ ଶୌଚାଳୟଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାନଛେପ ଏବଂ ପ୍ଲାଷ୍ଟିକ ବୋତଲ ଯେତେବେଳେ ସେତେବେଳେ ପଡ଼ି ରହୁଥିବା ବେଳେ, ଡଷ୍ଟବିନଗୁଡ଼ିକ ଠିକ୍ ସମୟରେ ସଫା କରାଯାଉ ନଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି। ବିଶେଷ କରି ଶୌଚାଳୟରୁ ଦୁର୍ଗନ୍ଧ ବାହାରୁଥିବାରୁ ମହିଳା ଓ ଶିଶୁ ଯାତ୍ରୀମାନେ ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତ୍ରୀଙ୍କ କହିବା ଅନୁଯାୟୀ, “ଏହା ଏକ ସ୍ମାର୍ଟ ବସ୍ଷ୍ଟାଣ୍ଡ ହୋଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଓ ସ୍ୱଚ୍ଛତା ପ୍ରତି ପ୍ରଶାସନ ପକ୍ଷରୁ ସେଭଳି ଗୁରୁତ୍ୱ ଦିଆଯାଉ ନାହିଁ। ବର୍ଷା ଦିନେ ପରିସରରେ ପାଣି ଜମି ରହି ମଶା ବଂଶ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଅନ୍ୟପଟେ, ବସ୍ଷ୍ଟାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ କେବଳ ପ୍ରଶାସନ ନୁହେଁ, ବରଂ ଯାତ୍ରୀ ଏବଂ ବସ୍ କର୍ମଚାରୀମାନେ ମଧ୍ୟ ସଚେତନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଚାରିଆଡ଼େ ଅଳିଆ ନଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ଆବର୍ଜନା ପକାଇବାକୁ ଅନୁରୋଧ କରାଯାଇଛି। ବରଗଡ଼ ପୌର ପରିଷଦ ଏବଂ ସମ୍ପୃକ୍ତ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ନିୟମିତ ସଫେଇ ବ୍ୟବସ୍ଥା କରିବା ସହ ଅମାନିଆଙ୍କ ବିରୋଧରେ ଜରିମାନା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।






